ହାଇଦ୍ରାବାଦ:ଗାୟକ, ଲେଖକ, ଅଭିନେତା ଏବଂ ନିର୍ଦ୍ଦେଶକ ପୀୟୁଷ ମିଶ୍ରା । ମୁମ୍ବାଇରେ କ୍ୟାରିଅର୍ କରିଥିବା ପୀୟୁଷ ମିଶ୍ରା ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ତାଙ୍କର ଖରାପ ଅଭ୍ୟାସ ତାଙ୍କର ମହାନ ଅଭିନେତା ହେବା ରାସ୍ତାରେ ହିଁ କଣ୍ଟା ବିଛାଇଦେଇଥିଲା । ଆଜି ହେଉଛି ସେହି ମହାନ ଅଭିନେତା ପୀୟୁଷ ମିଶ୍ରାଙ୍କ ଜନ୍ମଦିନ।
ପୀୟୁଷ ମିଶ୍ରା 13 ଜାନୁଆରୀ 1963ରେ ମଧ୍ୟପ୍ରଦେଶର ଗ୍ବାଲିଅର୍ ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କ ପୁରା ପରିବାର ମାଉସୀ ତାରାଦେବୀ ମିଶ୍ରଙ୍କ ଘରେ ରହିବାକୁ ଲାଗିଲେ । ତାରାଦେବୀ ତାଙ୍କଠାରୁ 32 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ପୀୟୁଷ ଜନ୍ମ ହେବା ପୂର୍ବରୁ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା । ମାଉସୀ ତାରାଦେବୀଙ୍କର କୌଣସି ସନ୍ତାନ ନଥିଲେ। ତେଣୁ ସେ ପୀୟୁଷଙ୍କୁ ନିଜ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଯେତେବେଳେ ପୀୟୁଷ 10ମ ଶ୍ରେଣୀରେ ପଢୁଥିଲେ ସେତେବେଳେ ନାଁ ପ୍ରିୟକାନ୍ତ ଶର୍ମାକୁ ବଦଳାଇ ପୀୟୁଷ ମିଶ୍ରା କରାଯାଇଥିଲା ।
ପୀୟୁଷ ମିଶ୍ରାଙ୍କର ପିଲାଦିନରୁ କଳା ପ୍ରତି ଆଗ୍ରହ ଥିଲା। ଯଦିଓ ତାଙ୍କ ପରିବାର ତାଙ୍କୁ କଳାକାର ଭାବେ କେବେ ଭାବିନଥିଲେ। ଯେଉଁଥିପାଇଁ ସେ କେତେବେଳେ ବ୍ଲେଡରେ ହାତ କାଟି ଦେଉଥିଲେ ତ କେତେବେଳେ ପୁଣି କିଛି ଜିନିଷରେ ନିଜକୁ ଆଘାତ ଦେଉଥିଲେ। ପିୟୁଷ 1983 ରୁ 1986 ପର୍ଯ୍ୟନ୍ତ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ସ୍ନାତକ ହାସଲ କରିଥିଲେ।
ପୀୟୁଷ 20 ବର୍ଷ ଧରି ଦିଲ୍ଲୀରେ ରହି ଅନେକ ନାଟକ କରିଥିଲେ। ଏହି ସମୟରେ ତାଙ୍କର ସମସ୍ତ ସାଙ୍ଗମାନଙ୍କ ସହ ସମ୍ପର୍କ ମଧ୍ୟ ଗଢି ଉଠିଥିଲା। କିନ୍ତୁ ସମସ୍ତେ ତାଙ୍କର ଗୋଟିଏ ଅଭ୍ୟାସ ପାଇଁ ଚିନ୍ତାରେ ଥିଲେ, ତାହା ହେଉଛି ମଦ୍ୟପାନ। 1995 ରେ ଯେତେବେଳେ ପୀୟୁଷଙ୍କ ବିବାହ ତାମିଲ ଆର୍କିଟେକ୍ଟ ପ୍ରିୟା ନାରାୟଣନଙ୍କ ସହ ହୋଇଥିଲା, ସେତେବେଳେ ତାଙ୍କର ବନ୍ଧୁମାନଙ୍କୁ ଲାଗିଥିଲା ସେ ସୁଧୁରି ଯିବେ ବୋଲି । କିନ୍ତୁ ତାହା ହୋଇନଥିଲା । ଏକ ସାକ୍ଷାତକାରରେ ପୀୟୁଷ ସ୍ବିକାର କରିଥିଲେ ଯେ ମଦ୍ୟପାନ କେବଳ ଏକ ବାହାନା ଥିଲା । ପ୍ରକୃତ କଥା ହେଲା ସେ ନୈତିକତା ଦୃଷ୍ଟିରୁ ସଂପୂର୍ଣ୍ଣ ଭ୍ରଷ୍ଟ ହୋଇଯାଇଥିଲେ । ତାଙ୍କୁ ନା ତାଙ୍କ ପତ୍ନୀଙ୍କ ଚିନ୍ତା ଥିଲା ନା ପିଲାଙ୍କ ପାଇଁ ଥିଲା ।