ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଖଳନାୟିକା ସାଜିଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । କାରଣ ଏନସିବି ଦ୍ବାରା ରିମାଣ୍ଡରେ ଥିବା ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଖୁଲାସା କରିଛନ୍ତି ଯେ ରିଆଙ୍କ କଥାରେ ସାମୁଏଲ ମିରାଣ୍ଡା ଅଭିନେତାଙ୍କୁ ଡ୍ରଗ ଦେଉଥିଲେ । ଶୁକ୍ରବାର ସାମୁଏଲ ଓ ସୌଭିକଙ୍କୁ ରିମାଣ୍ଡରେ ନେଇଥିଲା ଏନସିବି । ଆଉ ଶନିବାର ଦୁଇଜଣଙ୍କ ଡ୍ରଗ ଟେଷ୍ଟ କରାଯିବା ସହ ଏସପ୍ଲାନେଡ କୋର୍ଟରେ ହାଜର କରାଯାଇଛି । ସେହିପରି କିଛି ଦିନ ହେବ ସୁଶାନ୍ତଙ୍କ ସହ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ନାମ ସମ୍ପୃକ୍ତ କରାଯାଉଥିବାର ଦେଖିବାକୁ ମିଳୁଛି ।
2018ରେ ରିଲିଜ ହୋଇଥିବା ‘କେଦାରନାଥ’ ଫିଲ୍ମରେ ଏକାଠି କାମ କରିଥିଲେ ଏହି ଯୋଡି । ଯାହାପରଠୁ ଦୁଇଜଣଙ୍କ ରିଲେସନଶିପ ବିଷୟରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଚର୍ଚ୍ଚା ଅଧିକ ସେହି ସମୟରେ ବ୍ୟାପିଥିଲା ଯେବେ ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ହାକିପ ସୋସିଆଲ ମିଡିଆରେ ଦୁଇଜଣଙ୍କ ରିଲେସନଶିପ ବିଷୟରେ ଅନେକ କଥା ସେୟାର କରିଥିଲେ ।
ଏହି ମାମଲାରେ ଏବେ ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ଫାର୍ମହାଉସ ମ୍ୟାନେଜର ରଇସ(raees) । ସେ ଏକ ସାକ୍ଷାତକାରରେ ଯୋଗ ଦେଇ ଜଣାଇଛନ୍ତି ଯେ, ‘2019 ଜାନୁଆରୀ 21ରେ ବିବାହ ପାଇଁ ସାରାଙ୍କୁ ପ୍ରପୋଜ କରିଥାଆନ୍ତେ ସୁଶାନ୍ତ । କାରଣ ସେ ନିଜ ଜନ୍ମଦିନରେ ସାରାଙ୍କୁ ସରପ୍ରାଇଜ ଦେବାକୁ ଚାହୁଁଥିଲେ । ସାରା ମଧ୍ୟ 2018ରେ ଲୋନାୱାଲାରେ ଥିବା ସୁଶାନ୍ତଙ୍କ ଫାର୍ମହାଉସ ପ୍ରାୟତଃ ଆସୁଥିଲେ । ହେଲେ 2019ରେ ସେ ସେଠାକୁ ଆସିବା ବନ୍ଦ କରିଦେଇଥିଲେ । କାରଣ ଦୁଇଜଣଙ୍କ ବ୍ରେକଅପ କଥା ଶୁଣିବାକୁ ମିଳିଥିଲା ।