ମୁମ୍ବାଇ: ସୋମବାର ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଚତୁର୍ଥଥର ତାଙ୍କ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି ରଖିଛି ସିବିଆଇ । ରିଆଙ୍କ ସହ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି ଓ ଡ୍ରଗ ଡିଲର ଗୌରବ ଆର୍ଯ୍ୟାଙ୍କ ବୟାନ ରେକର୍ଡ କରାଯାଉଛି । ସିବିଆଇ ସହ ମୁହାଁମୁହିଁ ହେବା ପୂର୍ବରୁ ରିଆ ନିକଟରେ କିଛି ସାକ୍ଷାତକାରର ଦେଇ ନିଜ ପକ୍ଷ ରଖିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ଇତିମଧ୍ୟରେ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଓ ସାଉଥର ଫେମସ ଅଭିନେତ୍ରୀ ଲକ୍ଷ୍ମୀ ମାନଚୁ ତାଙ୍କୁ ସମର୍ଥନ କରି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ତାପସୀ ଏକ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘ବ୍ୟକ୍ତିଗତ ରୂପେ ସୁଶାନ୍ତଙ୍କୁ ଜାଣିନାହିଁ ନାଁ ରିଆଙ୍କୁ । ହେଲେ ଯାହା ମୁଁ ଜାଣିଛି ତାହା ବୁଝିବା ପାଇଁ କେବଳ ମଣିଷ ହେବା ଆବଶ୍ୟକ । ଆମେ କାହାକୁ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଦୋଷୀ କରିବା ଠିକ୍ କଥା ନୁହେଁ । ଏଯାବତ କୋର୍ଟ ରିଆଙ୍କୁ ଦୋଷୀ କହିନାହିଁ । ନିଜ ବୃଦ୍ଧି ଉପରେ ଭରସା ରଖି ମୃତକ ଆତ୍ମାକୁ ଶାନ୍ତି ଦେଇ ଆଇନ ଉପରେ ବିଶ୍ବାସ କରନ୍ତୁ ।’