ମୁମ୍ବାଇ:ସାଉଥ୍ ସୁପର୍ଷ୍ଟାର୍ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ୪ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶନିବାର ଦୁହେଁ ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ପ୍ରତିକ୍ରିୟା ଦେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଜଣେ ବଲିଉଡ ସୁପରଷ୍ଟାରଙ୍କୁ ଦାୟୀ କରିଛନ୍ତି ।
ସେ ତାଙ୍କ ପ୍ରତିକ୍ରିୟାରେ ବିବାହ ବିଚ୍ଛେଦକୁ ନେଇ ନିଜର କିଛି ମତ ଦେବା ସହିତ ଜଣେ ବଲିଉଡ୍ ସୁପରଷ୍ଟାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । କଙ୍ଗନା ଲେଖିଛନ୍ତି- ଏହି ସାଉଥ୍ ଆକ୍ଟର ହଠାତ୍ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହୋଇଛନ୍ତି, ଯାହଙ୍କୁ ସେ ୪ ବର୍ଷ ତଳେ ବିବାହ କରିଥିଲେ । କେବଳ ସେତିକି ନୁହେଁ, ତାଙ୍କ ସହିତ ସେ ଏକ ଦଶନ୍ଧି ଧରି ରିଲେସନ୍ସିପ୍ରେ ଥିଲେ । ଏହି ଅଭିନେତା ଜଣଙ୍କ ନିକଟରେ ବଲିଉଡ୍ର ଜଣେ ସୁପରଷ୍ଟାରଙ୍କ ସଂସ୍ପର୍ଶରେ ଆସିଥିଲେ । ସୁପରଷ୍ଟାର ଜଣକ ବଲିଉଡ୍ର ଡିଭୋର୍ସ ଏକ୍ସପର୍ଟ ଭାବେ ବେଶ ଜଣାଶୁଣା । ସେ ଅନେକ ମହିଳା ଓ ପିଲାଙ୍କ ଜୀବନ ନଷ୍ଟ କରିଛନ୍ତି । ସେ ଏବେ ନାଗା ଚୈତନ୍ୟଙ୍କର ଗାଇଡ୍ ପାଲଟିଛନ୍ତି । ଆମେ ସମସ୍ତେ ଜାଣିଛନ୍ତି ଯେ ବଲିଉଡ୍ର ସେହି ଷ୍ଟାର ଜଣଙ୍କ କିଏ ।
ବିବାହ ବିଚ୍ଛେଦ ପାଇଁ ସାଧାରଣତଃ ପୁରୁଷମାନେ ଦାୟୀ ବୋଲି କହିଛନ୍ତି କଙ୍ଗନା । ସେ କହିଛନ୍ତି ଯେ ଏହାକୁ ସମସ୍ତେ ଗ୍ରହଣ କରି ନପାରନ୍ତି । କିନ୍ତୁ ଏହା ସତ । ତେବେ ମହିଳାଙ୍କର ଦୋଷ ଥାଇପାରେ ହେଲେ ପୁରୁଷଙ୍କ ଅଧିକ ଦୋଷ ରହିଛି । ଯେଉଁମାନେ ମହିଳାମାନଙ୍କୁ ପୋଷାକ ବଦଳାଇଲା ଭଳି ବଦଳାନ୍ତି ଓ ତା’ପରେ ନିଜର ବନ୍ଧୁ ବୋଲି କହନ୍ତି ସେମାନଙ୍କ ପ୍ରତି ଦୟାଭାବ ଦେଖାଇବା ଉଚିତ ନୁହେଁ । ପୁଣି ସେମାନେ ଏଥିପାଇଁ ମିଡିଆ ଓ ଫ୍ୟାନ୍ମାନଙ୍କ ଠାରୁ ପ୍ରୋତ୍ସାହନ ପାଇଥାନ୍ତି ।