ମଣ୍ଡି: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇ ମାସ ପୂରଣ ହେବାକୁ ବସିଲାଣି । ହେଲେ ଏଯାବତ ତାଙ୍କ ଆତ୍ମହତ୍ୟା କାରଣ ବିଷୟରେ ଜଣାପଡିନାହିଁ । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଏବଂ ଇଡି ଯାଞ୍ଚ କରୁଛନ୍ତି । ଏଥିସହିତ ଏହି ମାମଲାରେ ମୁମ୍ବାଇ ପୋଲିସ ମଧ୍ୟ ତଦନ୍ତ କରୁଛି । ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଉପରେ ବିହାର ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିବାବେଳେ ଏହି ମାମଲାରେ ରାଜନୀତି ମଧ୍ୟ ଜୋରସୋରରେ ଚାଲିଛି ।
ଗୋଟିଏ ପଟେ ମହାରାଷ୍ଟ୍ର ସରକାର ଏହି ମାମଲାରେ ସିବିଆଇର ତଦନ୍ତ କରିବାକୁ ମନା କରୁଛନ୍ତି । ଏଥି ସହ ବିହାର ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ହସ୍ତାନ୍ତର କରିଛି । ପରିବାର ବ୍ୟତୀତ ସୁଶାନ୍ତଙ୍କ ପ୍ରଶଂସକ, ଅନେକ ସେଲିବ୍ରିଟି ମଧ୍ୟ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରୁଛନ୍ତି ।
ଏହି ସଂପର୍କରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଏକ ଭିଡିଓ ଜାରି କରି ପୁଣିଥରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଟ୍ୱିଟରରେ ଏକ ଭିଡିଓ ସେୟାର କରି କଙ୍ଗନା କେବଳ ସିବିଆଇ ତଦନ୍ତ ଦାବି କରିନାହାଁନ୍ତି ବରଂ ମୁମ୍ବାଇ ପୋଲିସ ଦ୍ୱାରା କରାଯାଇଥିବା ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।