ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମ ଠାରୁ ଦୂରେଇ ରହିଥିବା ଅଭିନେତ୍ରୀ କରିସ୍ମା କପୁର ଏବେ ଡିଜିଟାଲ ଦୁନିଆରେ ନଜର ଆସିବେ । ସେ ଖୁବଶୀଘ୍ର ନୂଆ ୱେବ ସିରିଜ 'ମେଣ୍ଟାଲହୁଡ' ଜରିଆରେ ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ । ବର୍ତ୍ତମାନ ଏହି ସିରିଜର ସୁଟିଂ ମଧ୍ୟ ଶେଷ କରିସାରିଲେଣି ସେ । ଯାହାର ସୂଚନା ସେ ନିଜ ଇନଷ୍ଟାଗ୍ରାମ ଜରିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
44 ବର୍ଷିୟ କରିସ୍ମା ଇନଷ୍ଟାରେ ୱେବ ସିରିଜର ସୁଟିଂ ପୂରଣ ହେବା ଅବସରରେ ଶେଷ ଦିନର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ପରିଶେଷରେ ଶେଷ ହୋଇଛି ଏହାର ସୁଟିଂ, ମେଣ୍ଟାଲ କେକ ମେଣ୍ଟାଲ କ୍ରୁଙ୍କ ପାଇଁ । ଧନ୍ୟବାଦ ସମସ୍ତଙ୍କୁ । ଲଭ ମେଣ୍ଟାଲମମ, ମୀରା ଶର୍ମା ।"
ଭିଡିଓରେ କରିସ୍ମା କେକ କାଟୁଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ପାଖରେ ସିରିଜର ପୁରା ଟିମ ମଧ୍ୟ ଠିଆ ହୋଇଥିବାର ଦେଖାଯାଉଛନ୍ତି ।