ହାଇଦ୍ରାବାଦ: କୋର୍ଟ ଏବଂ ପୋଲିସ ସହ ହନି ସିଂଙ୍କର ଏକ ପୁରୁଣା ସମ୍ପର୍କ ରହିଛି । କେତେବେଳେ ପାରିବାରିକ ହିଂସା ମାମଲା ତ ପୁଣି କେତେବେଳେ ଅଶ୍ଳୀଳ ଗୀତ ଯୋଗୁଁ ମୁସ୍କିଲରେ ପଡିଯାଆନ୍ତି ହନି ସିଂ । ନିକଟରେ ମହାରାଷ୍ଟ୍ରର ନାଗପୁରର ଏକ ଜିଲ୍ଲା କୋର୍ଟ ଗାୟକଙ୍କୁ ତାଙ୍କ ଭଏସ ସାମ୍ପଲ ଦେବାକୁ କହିଛନ୍ତି । ଏହି ନମୁନା ବା ସାମ୍ପଲକୁ ଥାନାରେ ଉପସ୍ଥାପନ କରିବାକୁ କୋର୍ଟ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନେଟରେ ଅଶ୍ଳୀଳ ଗୀତ ଏବଂ ଅପଲୋଡ କରିବା ମାମଲାରେ କୋର୍ଟ ହନି ସିଂଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ତଥା ଅତିରିକ୍ତ ଅଧିବେଶନ ଜଜ୍ ଏସ୍ ଏ ଏସ୍ ଏମ୍ ଅଲୀ ଜାନୁଆରୀ 27ରେ ହନି ସିଂଙ୍କୁ ଫେବୃଆରୀ 4ରୁ ଫେବୃଆରୀ 11 ମଧ୍ୟରେ ନାଗପୁରର ପଞ୍ଚପାଲି ପୋଲିସ୍ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ଗାୟକଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ସେ ବିଦେଶ ଯାତ୍ରା କରିବା ପାଇଁ ଲଗାଯାଇଥିବା ସର୍ତ୍ତରେ କୋହଳ କରିବାକୁ ଦାବି କରିଥିଲେ ।