ମୁମ୍ବାଇ: ବଲିଉଡର କରନ ଜୋହର ଜଣେ ଫେମସ ନିର୍ମାତା, ସ୍କ୍ରିନ୍ ରାଇଟର୍, ଫ୍ୟାସନ ଡିଜାଇନର୍ ଯିଏ ଆଜି କୌଣସି ପରିଚୟ ଆବଶ୍ୟକ କରନ୍ତି ନାହିଁ । ନିଜ ଫିଲ୍ମ ଦ୍ବାରା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରୁଥିବା ନିର୍ମାତା କରନ ଆଜି ବୟସର ଆଉ ଏକ ପାହାଚରେ ପାଦ ଥାପିଛନ୍ତି । ଆଜି କରନଙ୍କ 49ତମ ଜନ୍ମଦିନ । ଏହି ଅବସରରେ ଜାଣିବା ତାଙ୍କ ଫିଲ୍ମ କ୍ୟାରିୟର ଏବଂ ଏଯାବତ ଆୟ କରିଥିବା ସମ୍ପତ୍ତି ବିଷୟରେ...
ଚଳଚ୍ଚିତ୍ର ନିର୍ମାତା ୟଶ ଜୋହର ଏବଂ ହିରୁ ଜୋହରଙ୍କ ପୁଅ କରନ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। 1972 ମେ 25ରେ ଜନ୍ମିତ କରନଙ୍କୁ ପିତା ଅଭିନେତା କରିବାକୁ ଚାହୁଁଥିଲେ। କିନ୍ତୁ ଭାଗ୍ୟ ତାଙ୍କ ପାଇଁ କିଛି ଭିନ୍ନ ରଖିଥିଲା । କରନ ଅଧ୍ୟୟନ ଶେଷ କରିବା ପରେ 1989ରେ ଟିଭି ସିରିୟଲ 'ଶ୍ରୀକାନ୍ତ' ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିରିୟଲ ଦୂରଦର୍ଶନରେ ପ୍ରସାରିତ ହେଉଥିଲା ।
ସେ ନିର୍ଦ୍ଦେଶକ ରୂପେ ନିଜ କ୍ୟାରିୟର ଗଢିବାକୁ ଚାହୁଁଥିଲେ । ସେ ଶାହରୁଖ ଖାନ ଓ କାଜଲଙ୍କ ସୁପରହିଟ୍ ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଜାଏଗେଁ’ ଜରିଆରେ ନିର୍ଦ୍ଦେଶନାରେ ପାଦ ଥାପିଥିଲେ । ସହ-ନିର୍ଦ୍ଦେଶକ ରୂପେ ସେ ଏହି ଫିଲ୍ମରେ କାମ କରିଥିଲେ । ସେହିପରି ଫିଲ୍ମରେ ଅତିଥି କଳାକାର ରୂପେ ଅଭିନୟ ମଧ୍ୟ କରିଥିଲେ । ଏହି ଫିଲ୍ମ ପରେ ଶାହରୁଖ ତାଙ୍କୁ ନିର୍ଦ୍ଦେଶନା କ୍ଷେତ୍ରରେ କ୍ୟାରିୟର ଗଢିବାକୁ ପ୍ରେରଣା ଯୋଗାଇଥିଲା ।
ଏହା ପରେ କରନ ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ ନିର୍ମାଣ କରିଥିଲେ । ଯାହା ଫିଲ୍ମ ଫେୟାରରେ ସାତଟି ପୁରସ୍କାର ଜିତିଥିଲା । ଏହାପରେ କରନଙ୍କ ଚାହିଦା ବଢିଯାଇଥିଲା । ଆଉ ଗୋଟିଏ ପରେ ଗୋଟିଏ ହିଟ୍ ଦେଇ ଚାଲିଲେ ସେ । ‘କଭି ଖୁସି କଭି ଗମ’, ‘କଭି ଅଲବିଦା ନା କହନା’, ‘ମାଇଁ ନେମ୍ ଇଜ ଖାନ’, ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’, ‘ବମ୍ବେ ଟକିଜ’, ‘ଏ ଦିଲ ହେ ମୁସକିଲ’ ଓ ‘ଲଷ୍ଟ ଷ୍ଟୋରିଜ’ ଭଳି ଅନ୍ୟ ଶାନଦାର ଫିଲ୍ମ ନିର୍ମାଣ କରିଥିଲେ ସେ ।