ହାଇଦ୍ରାବାଦ: ବଲିଉଡରେ ନାମୀ ଦାମୀ ଗୀତିକାର, ସଂଗୀତକାରଙ୍କ ସଂଖ୍ୟାରେ କୌଣସି ଅଭାବ ନାହିଁ । ଏଠି ଏମିତି ବରିଷ୍ଠ ସଙ୍ଗୀତଜ୍ଞମାନେ ଅଛନ୍ତି ଯାହାଙ୍କ ସ୍ବର କାନରେ ପଡିବା କ୍ଷଣି ଯେମିତି ଏକ ପ୍ରକାର ଅଜବ ଶାନ୍ତି ମିଳେ । ହୃଦୟ ଯେମିତି ଉଲ୍ଲସିତ ହୋଇଉଠେ । ଶରୀରର କୋଣ ଅନୁକୋଣରେ ଖେଳିଯାଏ ସେମାନଙ୍କ ସଙ୍ଗୀତର ଯାଦୁ । ବଲିଉଡର ଏମିତି ହିଁ ଜଣେ ବରିଷ୍ଠ ସଂଗୀତକାର ହେଉଛନ୍ତି ଏ ଆର ରେହମାନ( A R Rahman) । ଦେଶରୁ ବିଦେଶ ଯାଏଁ ରେହମାନ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏମିତିକି ବିଦେଶରେ ବି ଅଛନ୍ତି ତାଙ୍କର କୋଟି କୋଟି ଫ୍ୟାନ୍ସ । ସଂଗୀତ ଜଗତର ଏହି ବାଦଶାହା ଅର୍ଥାତ ‘The Mozart of Madras’ କୁହାଯାଉଥିବା ଏ ଆର ରେହମାନଙ୍କର ଆଜି ହେଉଛି 55ତମ ଜନ୍ମଦିନ । ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ଅଜଣା କଥା ବିଷୟରେ ଜାଣିବା ।
ରେହମାନ ଚେନ୍ନାଇରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯାହାଙ୍କ ନାମ ଥିଲା ଦିଲୀପ କୁମାର । 23 ବର୍ଷ ବୟସରେ, ରେହମାନ ତାଙ୍କ ଆଧ୍ୟାତ୍ମିକ ଗୁରୁ କାଦରୀ ଇସଲାମଙ୍କ ସହ ଭେଟ ହେବା ପରେ ସେ ଇସଲାମକୁ ଆପଣାଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରହମାନଙ୍କ ପରିବାର ମୁଳତଃ ହିନ୍ଦୁ ଥିଲେ । ଏମିତିକି ପିଲାବେଳେ ରେହମାନଙ୍କ ନାଁ ପିତା ମାତା ଦିଲ୍ଲୀପ କୁମାର ରଖିଥିଲେ । ତାଙ୍କୁ ଯେତେବେଳେ ମାତ୍ର ୯ ବର୍ଷ ବୟସ ହୋଇଥିଲା ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଆଉ ଏହା ପରେ ତାଙ୍କ ପରିବାରକୁ ଅକାଳ ବିପଦ ମାଡି ଆସିଲା । ଘୋର ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିଥିଲା ସେମାନଙ୍କୁ । ଶେଷରେ ଦୁଇ ଓଳା ଦୁଇ ମୁଠା ଖାଦ୍ୟ ପାଇଁ ସେ ନିଜ ବାଦ୍ୟ ଯନ୍ତ୍ରଗୁଡିକୁ ବିକ୍ରି କରିଦେଇଥିଲେ । ଏହାର କିଛି ବର୍ଷ ପରେ ଜଣେ ସୁଫି ସନ୍ଥ କରିମୁଲ୍ଲାଙ୍କ ସଂସ୍ପର୍ଶରେ ଆସିଲେ ରେହମାନଙ୍କ ପରିବାର । ଆଉ ତାଙ୍କରି ପ୍ରେରଣାରେ ଅନୁପ୍ରାଣିତ ହୋଇ ‘ସୁଫି’ ଧର୍ମ ଗ୍ରହଣ କରିଥିଲେ । ଯାହାପରେ ନିଜ ନାଁ ବଦଳାଇ ରଖିଥିଲେ ଏ. ଆର. ରେହମାନ ।