ମୁମ୍ବାଇ: ବଲିଉଡଠୁ ନେଇ ଟଲିଉଡ ସବୁଠି ଡ୍ରଗ୍ସ କାରବାରରେ ଜଡିତ କଳାକାର । ଟଲିଉଡ ଡ୍ରଗ୍ସ ମାମଲାରେ ଅନୁସନ୍ଧାନ କରୁଛି ED । ପୂର୍ବରୁ ଅନେକଙ୍କୁ ଜେରା କରାଯାଇଛି । ଆଜି(ବୁଧବାର) ଅଭିନେତା ରାଣା ଦଗୁବତୀ ED ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବ୍ୟକ୍ତିଗତ କର୍ମଚାରୀଙ୍କ ସହିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ରାଣା ।
ଡ୍ରଗ୍ସ କାରବାର ନେଇ ରାଣା ଦଗୁବାତୀଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିପାରେ ଇଡି । ତାଙ୍କ ଅର୍ଥନୈତିକ କାରବାର ଉପରେ କିଛି ତଥ୍ୟ ଜାଣିବାକୁ ଚେଷ୍ଟା କରିବ। ଏହା ପୂର୍ବରୁ ଅନେକଙ୍କୁ ଏହି ପର୍ଯ୍ୟାୟରେ ଜେରା କରିସାରିଛି ED । ଅଗଷ୍ଟ 31 ରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ପ୍ରାୟ 10 ଘଣ୍ଟା ପଚରାଉଚରା କରାଯାଇଥିଲା ।
ଅଧିକାରୀମାନେ ମୁଖ୍ୟତ ଆର୍ଥିକ କାରବାର ଉପରେ ଧ୍ୟାନ ଦେଇଥିଲେ । ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ କାରବାରର ବିବରଣୀ ସଂଗ୍ରହ କରିଥିଲେ । ପୁରୀ ଜଗନ୍ନାଥ, ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସହିତ ଇଡି କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହୋଇଥିଲେ । ବ୍ୟାଙ୍କ କାରବାର ବ୍ୟତୀତ ଅନ୍ୟାନ୍ୟ ଆର୍ଥିକ ପ୍ରସଙ୍ଗକୁ ଇଡି କର୍ତ୍ତୃପକ୍ଷ ପ୍ରଶ୍ନ କରିଥିଲେ ।
ଅଭିନେତ୍ରୀ ଚାର୍ମି ଏହି ମାସର ୨ଥର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଚାର୍ମିଙ୍କୁ 8 ଘଣ୍ଟା ଧରି ପଚରାଉଚରା କରିଥିଲା ଇଡି । ବ୍ୟାଙ୍କ କାରବାର ବିଷୟରେ ପଚରାଯାଇଥିଲା । ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କୁ ସେପ୍ଟେମ୍ବର ୩ରେ ପ୍ରାୟ ୬ଘଣ୍ଟା ଧରି ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାକୁଲଙ୍କ ବ୍ୟକ୍ତିଗତ କାରବାର ବିଷୟରେ ପଚରା ଯାଇଥିଲା । ଦିଲ୍ଲୀ ଏବଂ ମୁମ୍ବାଇର ରାକୁଲଙ୍କର ଥିବା ଆକାଉଣ୍ଟରେ UPI କାରବାର ଉପରେ ମଧ୍ୟ ପ୍ରଶ୍ନ କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ