ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ମାମଲାରେ ଏନସିବି ଜଣକ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଲାଗିଛି । ବର୍ତ୍ତମାନ ଏନସିବି ହାତରେ ଧରା ପଡିଛି ଆଉ ଜଣେ ଅଭିଯୁକ୍ତ ।
ଶନିବାର ଦିନ ଏନସିବି ମହାରାଷ୍ଟ୍ର ଏବଂ ଗୋଆର ଅନେକ ସ୍ଥାନରେ ଚଢାଉ କରିଥିଲା । ଏହି ସମୟରେ ସାଉଥ ଇଣ୍ତିଆନ ଫିଲ୍ମର ଅଭିନେତ୍ରୀ ଶ୍ବେତା କୁମାରୀଙ୍କୁ ଏନସିବି ଗିରଫ କରିଛି । ଶ୍ବେତା ମୁମ୍ବାଇର ହୋଟେଲରୁ ଧରାପଡିଥିଲେ । ସୂଚନା ଅନୁଯାୟୀ, ମୁମ୍ବାଇର କ୍ରାଉନ୍ ବିଜନେସ୍ ହୋଟେଲରେ ଚଢାଉ ସମୟରେ ଏନସିବି 400 ଗ୍ରାମ ଏମଡି ଜବତ କରିଛି ।
ବର୍ତ୍ତମାନ ଶ୍ବେତା ପୋଲିସ ହେପାଜତରେ ଅଛନ୍ତି । କହିବାକୁ ଗଲେ, ଶ୍ବେତା ସାଉଥ ଇଣ୍ତିୟାନ ଇଣ୍ତଷ୍ଟ୍ରି ରେ ଲୋ-ବଜେଟ୍ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ସେ 2015 କନ୍ନଡ ଚଳଚ୍ଚିତ୍ର 'ରିଙ୍ଗ ମାଷ୍ଟର 'ରେ ମଧ୍ୟ କାମ କରିଛନ୍ତି ।
ଏନସିବି ଅଧିକାରୀ ସମୀର ୱାନଖେଡେ କହିଛନ୍ତି ଯେ, ଏନଡିପିଏସ୍ ଆକ୍ଟ ଅନୁଯାୟୀ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବ୍ୟୁରୋ ଅନେକ ପେଡେଲରଙ୍କୁ ମଧ୍ୟ ଗିରଫ କରିଛି ।
ପ୍ରକାଶ ଥାଉ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଏହି ଡ୍ରଗ୍ସ ମାମଲାରେ ଏଯାବତ ଏନସିବି ଅନେକ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିସାରିଲାଣି । ଆଉ ଅନେକ ସେଲିବ୍ରିଟିଙ୍କୁ ପଚାରାଉଚରା କରିବା ସହ ସେମାନଙ୍କ ଘରେ ଚଢାଉ କରୁଛି ।