ମୁମ୍ବାଇ: ବଲିଉଡ ଦୁନିଆରେ ଅନେକ ଯୋଡି ଦେଖିବାକୁ ମିଳୁଥିବାବେଳେ ସୁପରଷ୍ଟାର ସଲମାନ ଖାନଙ୍କ ସହ ଆଲିୟା ଭଟ୍ଟଙ୍କୁ ଏକାଠି ଦେଖିବାକୁ ଦର୍ଶକ ପ୍ରାୟ ଇଚ୍ଛା ପ୍ରକାଶ କରିଥାନ୍ତି। ସଲମାନ ବୟସରେ ଆଲିୟାଙ୍କଠାରୁ ଖୁବ ବଡ ହୋଇଥିଲେ ମଧ୍ୟ ପରଦାରେ ଉଭୟଙ୍କ ଯୋଡି ଜମିବ ବୋଲି ସର୍ବଦା କୁହନ୍ତି ଦର୍ଶକ। ହେଲେ ଏବେ ଦର୍ଶକଙ୍କ ଏହି ସ୍ବପ୍ନ ସତ ହେବାକୁ ଯାଉଛି, ସେ ବି ପ୍ରଖ୍ୟାତ ଫିଲ୍ମନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ 'ଇନଶାଆଲ୍ଲା'ରେ।
ଆଜି ଆଲିୟା ଓ ସଲମାନଙ୍କ ଫ୍ୟାନଙ୍କ ପାଇଁ ଅଛି ଗୋଟିଏ ବଡ ଖୁସିଖବର । ଦୀର୍ଘ 20ବର୍ଷ ପରେ ସଲମାନ ଓ ସଞ୍ଜୟ ଲୀଲା ଭଂସାଲୀ ଏକାଠି ହେବାକୁ ଯାଉଥିବାବେଳେ ଉଭୟଙ୍କ ସହ ଡବଲ ତଡକା ଲଗାଇବାକୁ ଆସୁଛନ୍ତି ଆଲିୟା । କିଛି ସମୟ ପୂର୍ବରୁ ନିଜେ ସଲମାନ ପ୍ରଥମେ ଏହି ଖବର ସୋସିଆଲ ମିଡିଆରେ ଘୋଷଣା କରି ଲେଖିଛନ୍ତି, 'ମୁଁ ବହୁତ ଖୁସି ଯେ ଦୀର୍ଘ 20ବର୍ଷପରେ ସଞ୍ଜୟଙ୍କ ସହ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ନଜର ଆସିବି । ଇନଶାଆଲ୍ଲା । ଆଲିୟାଙ୍କ ସହ କାମ କରିବାକୁ ଅପେକ୍ଷା ।'