ନୂଆଦିଲ୍ଲୀ: ରିଲ୍ ଲାଇଫରେ ଧମାକା କରିଥିବା ସୁପରଷ୍ଟାର ଚିଆନ ବିକ୍ରମଙ୍କୁ ରିଅଲ ଲାଇଫରେ ମିଳିଛି ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘର ଉପରକୁ ବୋମା ପକାଇ ଉଡାଇଦେବାକୁ ଧମକ ଦେଇଛି । ଏହା ପରେ ପୂରା ସାଉଥ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ବିକ୍ରମ ଚେନ୍ନାଇର ବେସାନ୍ତ ନଗରରେ ରୁହନ୍ତି । ଘର ଚାରିପାଖରେ ଅନୁସନ୍ଧାନ ପରେ ପୋଲିସ ଏହାକୁ ମିଥ୍ୟା ବୋଲି କହିଥିଲା । ଏଥିସହିତ ଅଧିକାରୀଙ୍କୁ କଲ୍ ଟ୍ରାକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିକ୍ରମଙ୍କ ପୂର୍ବରୁ ଅଭିନେତା ବିଜୟ, ଅଜିତ, ସୂର୍ଯ୍ୟା ଓ ରଜନୀକାନ୍ତଙ୍କୁ ମଧ୍ୟ ଠିକ୍ ଏହିଭଳି ଫୋନ୍ କଲ୍ ଆସିଥିବା ଜଣାପଡିଛି ।
ସୋମବାର ସକାଳେ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ କଲ ଆସିଥିଲା । ଯିଏକି ବିକ୍ରମଙ୍କ ଘର ଉପରେ ବୋମାମାଡ଼ କରିବ ବୋଲି ଧମକ ଦେଇଥିଲା । ତିରୁବନାମିୟୁର ଷ୍ଟେସନରେ ଥିବା ପୋଲିସ କର୍ମଚାରୀମାନେ ତାଙ୍କ ଘରେ ବମ୍ ଡିଟେକସନ୍ ଆଣ୍ଡ ଡିସପୋଜାଲ୍ ସ୍କ୍ବାର୍ଡ (ବିଡିଡିଏସ୍) ଏବଂ ସନ୍ଧାନୀ କୁକୁର ସହିତ ଖୋଜାଖୋଜି କରିଥିଲେ । ଶେଷରେ ପୋଲିସ ଜାଣିବାକୁ ପାଇଲା ଯେ, ଭିଲୁପୁରମର ଜଣେ ବ୍ୟକ୍ତି ଧମକ ଦେଇ ଏହି କଲ କରିଛନ୍ତି ।
ଏହାପୂର୍ବରୁ, ଭିଲୁପୁରମର ମାରାକାନାମରେ ଜଣେ ବ୍ୟକ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀ ଏବଂ ଅନ୍ୟାନ୍ୟ କଳାକାରଙ୍କୁ ବୋମାମାଡ଼ କରିବାକୁ ଧମକ ଦେଇଥିଲେ । ପରେ ସେହି ବ୍ୟକ୍ତିଙ୍କ ମାନସିକ ସ୍ଥିତି ଠିକ୍ ନଥିବା କହି ତାଙ୍କ ପରିବାର ଲୋକେ କ୍ଷମା ମାଗିଥିଲେ । ସମାନ ବ୍ୟକ୍ତି ମଧ୍ୟ ଏଥିରେ ସମ୍ପୃକ୍ତ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ପ୍ରକାଶ ଥାଉ କି, ବିକ୍ରମଙ୍କୁ ଶେଷ ଥର ପାଇଁ ନିର୍ଦ୍ଦେଶକ ରାଜେଶ ଏମଙ୍କ ଫିଲ୍ମ କାଦରାମ କୋଣ୍ଡାନରେ ଦେଖିବାକୁ ମିଳିଥିଲା ।