ମୁମ୍ବାଇ: ଆମେରିକାର ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ପରଠୁ ସାରା ବିଶ୍ବରେ ‘ବ୍ଲାକ ଲିଭ୍ସ’ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ବହୁ ସମାଲୋଚନା ପରେ ହିନ୍ଦୁସ୍ତାନ ୟୁନିଲିଭର ନିଜ ଲୋକପ୍ରିୟ ଫେୟାରନେସ କ୍ରିମ ‘ଫେୟାର ଆଣ୍ଡ ଲଭଲି’ରୁ ଫେୟାର ଶବ୍ଦ ହଟାଇବାର ନିଷ୍ପତ୍ତି ନେଇଛି । ହିନ୍ଦୁସ୍ତାନ ୟୁନିଲିଭରର ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସୋସିଆଲ ମିଡିଆରେ #FairandLovely ଟ୍ରେଣ୍ଡ କରିବାରେ ଲାଗିଛି । ସେହିପରି ଅନେକ ସେଲିବ୍ରିଟି କମ୍ପାନୀର ଏପରି ନିଷ୍ପତ୍ତିକୁ ପ୍ରଶଂସା କରି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି କଙ୍ଗନା ରଣାୱତ, ବିପାଶା ବାସୁ, ଶାହରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ।
ସୁହାନା ଇନଷ୍ଟାଗ୍ରାମ ଷ୍ଟୋରିରେ କମ୍ପାନୀର ଏହି ନିଷ୍ପତ୍ତିର ସୂନଚା ସମସ୍ତଙ୍କୁ ଦେଇଛନ୍ତି । ସେପଟେ ଶାହରୁଖ ନିଜେ ଫେୟାର ଆଣ୍ଡ ହ୍ୟାଣ୍ଡସମ ବ୍ରାଣ୍ଡର ଆମ୍ବାସଡର ମଧ୍ୟ । 2018ରେ ହୋଇଥିବା ଫେୟାର କ୍ରିମ ଉପରେ ବିବାଦ ପରେ ଶାହରୁଖ କହିଥିଲେ, ‘ମୋ ଝିଅ ମଧ୍ୟ କଳା ହେଲେ ସେ ଦୁନିଆର ସବୁଠାରୁ ସୁନ୍ଦର ଝିଅ ମୋ ପାଇଁ ।’
ଅନ୍ୟପଟେ ବିପାଶା କମ୍ପାନୀର ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ଯେତେବେଳେ ବଡ ହେଉଥିଲି ମତେ ସବୁବେଳେ ଗୋଟିଏ କଥା ଶୁଣିବାକୁ ମିଳୁଥିଲା ଯେ ବୋନି, ସୋନିଙ୍କଠୁ ଅଧିକ ଡାର୍କ । ମୁଁ ଟିକେ କଳା ନା ତେଣୁ । ମୋ ମା' ମଧ୍ୟ କଳା ହେଲେ ସେ ସୁନ୍ଦର ମହିଳା । ମୁଁ ମା'ଙ୍କ ପରି ଦେଖାଯାଏ । ହେଲେ ମୁଁ କେବେ ମଧ୍ୟ ଏହି କଥା ବୁଝିପାରୁନଥିଲି ଯେ ଯେତେବେଳେ ଛୋଟ ଥିଲି ସମ୍ପର୍କୀୟ କାହିଁକି ମୋ ରଙ୍ଗ ଉପରେ ଅଧିକ ଚର୍ଚ୍ଚା କରୁଥିଲେ । ମୋର ଚର୍ମ ରଙ୍ଗ ହେଉଛି ମୋର ପରିଚୟ | ପିଲାଦିନରୁ ମୁଁ ନିଜ ପାଇଁ ଗର୍ବିତ | ମୁଁ ମୋର ରଙ୍ଗକୁ ଭଲ ପାଏ ଏବଂ ମୁଁ ଏହାକୁ କେବେ ଶେଷ କରିବାକୁ ଚାହେଁ ନାହିଁ |’
ଯଦି କଙ୍ଗନାଙ୍କ ବିଷୟରେ ହେବା ତେବେ ସେ ମଧ୍ୟ କହିଛନ୍ତି, ‘ଏହା ଲମ୍ବା ଏବଂ କେବେ କେବେ ଏକୁଟିଆ ଲଢେଇ ରୂପେ ରହିଛି । ହେଲେ ସଠିକ୍ ଫଳାଫଳ ଆସେ ଯେତେବେଳେ ସମଗ୍ର ଦେଶ ଏହି ଆନ୍ଦୋଳନରେ ଭାଗ ନେଇଥାଏ ।’ ପ୍ରକାଶ ଥାଉକି କିଛି ଦିନ ହେବ ପରିବାରବାଦ ଉପରେ ବୟାନ ଦେଇଆସୁଥିବା ଅଭିନେତା ଅଭୟ ଦେଓଲ ମଧ୍ୟ ଏହି ନିଷ୍ପତ୍ତି ଉପରେ ଖୁସି ପ୍ରକାଶ କରିଛନ୍ତି ।