ମୁମ୍ବାଇ: ହିନ୍ଦୀ ସିନେମାର ଲେଜେଣ୍ଡ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଥିଲେ ନର୍ଗିସ ଦତ୍ତ । ଯିଏ ହିନ୍ଦୀ ଇଣ୍ଡଷ୍ଟ୍ରିରେ ଶାନଦାର ଅଭିନୟ କରି ସମସ୍ତଙ୍କ ପସନ୍ଦୀୟ ଅଭିନେତ୍ରୀ ସାଜିଥିଲେ । ତାଙ୍କର ପ୍ରକୃତ ନାମ ଥିଲା ଫାତିମା ରସିଦ। 1929 ଜୁନ 1ରେ ଜନ୍ମ ହୋଇଥିବା ନର୍ଗିସ ମାତ୍ର ପାଞ୍ଚ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର ଚମତ୍କାର ଅଭିନୟ ଆଧାରରେ ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ଅର୍ଜନ କରିଥିଲେ ସେ। ଆଜି ଏହି ମହାନ ଅଭିନେତ୍ରୀଙ୍କ 92ତମ ଜନ୍ମବାର୍ଷିକୀ । ତେବେ ଏହି ଅବସରରେ ଜାଣିବା ତାଙ୍କ ଫିଲ୍ମ କ୍ୟାରିୟରଠୁ ନେଇ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଖାସ୍ କଥା...
1950 ଦଶକରେ ଆରମ୍ଭ ହୋଇଥିବା 'ସିନେମାର ସୁବର୍ଣ୍ଣ ଯୁଗ' ସହିତ ନର୍ଗିସ ଜଡିତ । ଅନେକ ଅଭିନେତ୍ରୀ ନର୍ଗିସଙ୍କ ସ୍ଥାନ ପୂରଣ କରିବାକୁ ଚେଷ୍ଟା କରିଥିଲେ । ହେଲେ କେହି ମଧ୍ୟ ଏଯାବତ ତାଙ୍କ ସ୍ଥାନ ଅକ୍ତିଆର କରିପାରିନାହିଁନ୍ତି । ଯାହାକୁ ହିନ୍ଦୀ ସିନେମାର 'ପ୍ରଥମ ଲେଡି' କୁହାଯାଉଥିଲା । ନର୍ଗିସଙ୍କ ମା' ଜଦ୍ଦନ ବାଇ ଜଣେ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ହେତୁ ଘରେ ଏକ ଚଳଚ୍ଚିତ୍ର ପରିବେଶ ତାଙ୍କର ରହିଥିଲା, କିନ୍ତୁ ଏହା ସତ୍ତ୍ବେ ନର୍ଗିସ ପିଲାବେଳେ ଅଭିନୟ କ୍ଷେତ୍ରରେ ରୁଚି ରଖୁନଥିଲେ ।
ହେଲେ ତାଙ୍କ ଭାଗ୍ୟରେ ଅଭିନେତ୍ରୀ ହେବାର ଥିଲା । ତେଣୁ ମାତ୍ର14 ବର୍ଷ ବୟସରେ ସେ ପ୍ରଥମେ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ । ମେହବୁବ ଖାନଙ୍କ ଫିଲ୍ମ 'ତକଦିର'ରେ ସେ ନଜର ଆସିଥିଲେ । ଯେଉଁଥିରେ ମୋତିଲାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। 1948ରେ ତାଙ୍କୁ ସଫଳତା ମିଳିଥିଲା । ଯେବେ ଏକାଠି ସେ ତିନୋଟି ଫିଲ୍ମ ‘ଅନୋଖା ପ୍ୟାର’, ‘ମେଲା’ ଓ ‘ଅଞ୍ଜୁମନ’ରେ ଅଭିନୟ କରିଥିଲେ ।
ହେଲେ ତାଙ୍କୁ ବେଶ୍ ସଫଳତା ଯୋଗାଇଥିଲା 1957 ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମଦର ଇଣ୍ଡିଆ’। ଯେଉଁଥିରେ ସେ ଜଣେ ଗରିବ ମହିଳା ରାଧା ଭୂମିକାରେ ଅଭିନୟ କରିଥିଲେ। କମ୍ ବୟସରେ ମା'ଭୂମିକାରେ ଅଭିନୟ କରି ସେ ସମସ୍ତଙ୍କ ମନ କିଣିଥିଲେ । ତାଙ୍କ ଦମଦାର ଅଭିନୟ ପାଇଁ ଓସ୍କାର ପୁରସ୍କାରରେ ମନୋନୀତ ହୋଇଥିଲା ଫିଲ୍ମ । ମୁଖ୍ୟ କଥା ହେଲା ଯେ ଏହି ଫିଲ୍ମରେ ତାଙ୍କ ପୁଅ ସାଜିଥିଲେ ଅଭିନେତା ସୁନୀଲ ଦତ୍ତ । ଯାହାକୁ ପରେ ସେ ବିବାହ କରିଥିଲେ ।