ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ବିପାଶା ବାସୁ ହିନ୍ଦୀ ଫିଲ୍ମ ଜଗତରେ 18 ବର୍ଷ ପୂରଣ କରିନେଇଛନ୍ତି । 18 ବର୍ଷ ପୂରଣ କରିବା ଅବସରରେ ସେ ନିଜ ଉପରେ ଗର୍ବିତ ଅନୁଭବ କରୁଛନ୍ତି । କାରଣ ସେ ସବୁବେଳେ ବାସ୍ତବ କଥା ସହ ଠିଆ ହୋଇ ନିଜ କାମ କଠିନ ପରିଶ୍ରମରେ କରିଥିଲେ । ତେଣୁ ସେ ଆଜି ବଲିଉଡରରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଛନ୍ତି ବୋଲି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଶନିବାର ନିଜ ଡେବ୍ୟୁ ଫିଲ୍ମ ଅଜନବିର ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ ବିପାଶା । ଏହି ପୋଷ୍ଟରରେ ତାଙ୍କ କୋ-ଷ୍ଟାର ଅକ୍ଷୟ କୁମାର, ବବି ଦେଓଲ ଓ କରୀନା କପୁର ଖାନ ମଧ୍ୟ ନଜର ଆସୁଛନ୍ତି ।
ଫଟୋ ସେୟାର କରି ବିପାଶା ଲେଖିଥିଲେ, ‘18ର ବର୍ଷ ପୂର୍ବେ ଫିଲ୍ମ ଅଜନବି ରିଲିଜ ହେବା ସହ ଫିଲ୍ମ ଇଣ୍ଡଷ୍ଟ୍ରି ମତେ ଶାନଦାର ରୂପେ ସ୍ବାଗତ କରିଥିଲା । ଆଉ ଦର୍ଶକଙ୍କ ଠାରୁ ଅଶେଷ ପ୍ରେମ ମଧ୍ୟ ମିଳିଥିଲା । ଫିଲ୍ମର ମାଧ୍ୟମରୁ ଜୀବନର ଏହି ଅଦ୍ଭୁତ ଯାତ୍ରା ପାଇଁ ମୁଁ ସମସ୍ତଙ୍କର ଋଣୀ । ମୋ ନିଜ ଉପରେ ଗର୍ବିତ । ନିଜ ଦମରେ ଆଜି ସବୁକିଛି ହାସିଲ କରିପାରିଛି ।’
‘ମୁଁ ମୋର ସବୁ ନିର୍ମାତା, ନିର୍ଦ୍ଦେଶକ, ସହ-କଳାକାରଙ୍କୁ ଏବଂ ସବୁ ଫିଲ୍ମର ଟିମକୁ ଧନ୍ୟବାଦ ଦେବାକୁ ଚାହୁଁଛି । ଧନ୍ୟବାଦ ସେହି ସମସ୍ତଙ୍କୁ ଯିଏ ମୋତେ ଏବଂ ମୋ କାମକୁ ଖୁବ୍ ସ୍ନେହ ଦେଇଥିଲେ । ମୋତେ ଅଭିନେତ୍ରୀ ହୋଇ ରହିବା ଖୁବ୍ ପସନ୍ଦ । ଧନ୍ୟବାଦ ଅବ୍ବାସ ଭାଇ, ମସ୍ତାନ ଭାଇ, ହୁସୈନ ଭାଇ, ବବି ଦେଓଲ, କରୀନା, ବିଜୟ ଗିଲାନୀ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଧନ୍ୟବାଦ’ ବୋଲି ପୋଷ୍ଟରେ ଲେଖିଥିଲେ ବିପାଶା ।