ହାଇଦ୍ରାବାଦ: ପ୍ରସିଦ୍ଧ ସଂଗୀତକାର ବାପି ଲେହରି ଆଉ ଏହି ଦୁନିଆରେ ନାହାଁନ୍ତି | ସେ 69 ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ କହିବାନୁସାରେ, ବାପି ଦାଙ୍କ ଦେହାନ୍ତ Obstructive Sleep Apnea (QSA) ହେତୁ ଘଟିଛି ।
ସୂଚନା ଅନୁଯାୟୀ, ଏକାଧିକ ଶାରୀରିକ ସମସ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ବାପି ଲେହରିଙ୍କ ଅନ୍ତିମ ସଂସ୍କାର ଫେବ୍ରୁଆରି ୧୭ ତାରିଖ ଦିନ ପବନ ହଂସ ଶ୍ମଶାନରେ କରାଯିବ। ବାପି ଲେହରିଙ୍କ ପୁଅ ବାପ୍ପା ଆମେରିକାରେ ଅଛନ୍ତି। ସେ ଫେରିବା ପରେ ବାପି ଲେହରିଙ୍କ ଶବ ସତ୍କାର କରାଯିବ।
ଫିଲ୍ମ ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର ଓ ଶରାବୀ ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି । ଚଳଚ୍ଚିତ୍ର ଡାର୍ଟି ପିକ୍ଚରରେ ଚୁଟକି ଜୋ ତୁନେ କାଟି ହେ ସଙ୍ଗୀତରେ କଣ୍ଠଦାନ ମଧ୍ୟ କରିଛନ୍ତି । ଶେଷ ଥର ପାଇଁ ୨୦୨୦ରେ ସେ ବାଗୀ-୩ରେ ବନକର ସଙ୍ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ଡିସ୍କୋ କିଙ୍ଗ କହିଲେ ବାପି ଲେହରିଙ୍କ ଚେହେରା ସାମ୍ନାକୁ ଆସିଯାଏ । ସଲମାନ ଖାନଙ୍କ ସହ ରିଅଲିଟି ସୋ ବିଗ୍ ବସ୍ 15 ରେ ଶେଷ ଥର ପାଇଁ ପରଦାରେ ନଜର ଆସିଥିଲେ ବାପି । ଯେଉଁଠାରେ ସେ ତାଙ୍କ ନାତି ସ୍ବାସ୍ତିକଙ୍କ ନୂଆ ଗୀତ 'ବଚା ପାର୍ଟି'ର ପ୍ରମୋସନ କରିଥିଲେ । ଭିନ୍ନ ଶୈଳୀ ହେତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର କଳା ପାଇଁ ବେଶ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା’ । ବାପି ଲେହରିଙ୍କ ପ୍ରକୃତ ନାଁ ଆଲୋକେଶ ଲେହରି। ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାମା’ ମଧ୍ୟ ଗାୟକ ଥିଲେ। ତିନି ବର୍ଷ ବୟସରୁ ସେ ତାବ୍ଲା ବଜାଇବା ଶିଖିଥିଲେ।
ଗତ ବର୍ଷ ଏପ୍ରିଲରେ କୋଭିଡ ପଜିଟିଭ ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ଏହା ପରେ ସେ ପୁଣି ଅସୁସ୍ଥ ହୋଇଥିଲେ । ଲେହରିଙ୍କୁ ଏକ ମାସ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ଦିନ ଡିସଚାର୍ଜ କରାଯାଇଥିଲା । କିନ୍ତୁ ମଙ୍ଗଳବାର ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ