ହାଇଦ୍ରାବାଦ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଂଗୀତଜ୍ଞ ବାପି ଲାହିରି । ଏକମାତ୍ର ପୁଅ ବପ୍ପା ଲାହିରି ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନ ଘାଟରେ ଅନ୍ତ୍ୟେଷ୍ଟି କିୟା ହୋଇଛି । ସଂଗୀତଜ୍ଞ ବାପି ଲାହିରି ଫେବୃଆରୀ 15 ତାରିଖ ରାତି 11.45 ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୯ ବର୍ଷ ବୟସ ହୋଇଥିଲା । 15 ଫେବ୍ରୁଆରୀ ରାତିରେ କ’ଣ ଘଟିଥିଲା, ସେହି ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ବାପି ଦାଙ୍କ ଜ୍ବାଇଁ ଗୋବିନ୍ଦ ବଂଶଲ । ସେ କହିଛନ୍ତି ଯେ, ରାତ୍ରୀ ଭୋଜନର ଅଧ ଘଣ୍ଟା ମଧ୍ୟରେ ତାଙ୍କର ହୃଦଘାତ ହୋଇଥିଲା ।
ଗୋବିନ୍ଦ ବଂଶଲ ଆହୁରି କହିଛନ୍ତି ଯେ, 'ଏହି ଦିନ ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ, ଦାଦା ସମଗ୍ର ଦେଶକୁ ମନୋରଞ୍ଜନ କରିଥିଲେ ଏବଂ ସମସ୍ତେ ତାଙ୍କୁ ଭଲ ପାଉଥିଲେ'। ତାଙ୍କ ଦେହାନ୍ତକୁ ନେଇ ଗୋବିନ୍ଦ କହିଛନ୍ତି, ସେ ତିନି ସପ୍ତାହରୁ ଅଧିକା ଦିନ ହସ୍ପିଟାଲରେ ଭର୍ତ୍ତି ଥିଲେ। ପରେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ଫେବ୍ରୁଆରୀ 15 ତାରିଖ ରାତି 8ଟା 30ରୁ 9 ଟା ମଧ୍ୟରେ ସେ ଡିନର କରିଥିଲେ, କିନ୍ତୁ ଖାଇବାର ଅଧ ଘଣ୍ଟା ମଧ୍ୟରେ ତାଙ୍କର ହାର୍ଟ ଆଟାକ ହୋଇଥିଲା । ତାଙ୍କ ପଲ୍ସ ରେଟ୍ ଖସିବାକୁ ଲାଗିଲା, ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନିଆଗଲା ଏବଂ ରାତି 11 ଟା 44 ରେ ଡାକ୍ତର ଆମକୁ ତାଙ୍କ ମୃତ୍ୟୁ ଖବର ଦେଇଥିଲେ । ଡାକ୍ତରଙ୍କ କହିବାନୁସାରେ, ବାପି ଦାଙ୍କ ଦେହାନ୍ତ Obstructive Sleep Apnea (QSA) ହେତୁ ଘଟିଛି । ବାପି ଲାହିରିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଗତକାଲି କହିଥିଲେ, ଏକାଧିକ ଶାରୀରିକ ସମସ୍ୟା ଏବଂ ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।