ନୂଆଦିଲ୍ଲୀ: ଦେଶରେ ଶନିବାର ଠାରୁ ସାରା ଦେଶରେ ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ ଏହାର ଶୁଭାରମ୍ଭ ଜଣେ ସଫେଇ କର୍ମଚାରୀଙ୍କ ଠାରୁ କରାଯାଇଛି । ତେବେ ଦେଶର ଏହି ଐତିହାସିକ ତଥା ଗୌରବର ଦିବସ ପାଇଁ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ଖୁସିବ୍ୟକ୍ତ କରିବା ସହିତ ଗର୍ବ ଅନୁଭବ କରିଥିବା ରବିବାର ନିଜ ଟ୍ବିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ।
କୋରୋନା ଟିକାର ସଫଳ ଉଦ୍ଭାବନ ସହିତ ଦେଶରେ ଟୀକାକରଣ କରି ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିଛି । ଦେଶବାସୀଙ୍କ ଏହି ମୁହୂର୍ତ୍ତ ଗର୍ବ ଓ ଗୌରବର ଦିନ ହୋଇଥିବା ବେଳେ ବଲିଉଡର ବିଗ ବି ଅମିତାଭ ଟ୍ବିଟରେ ପୃଷ୍ଠାରେ ଟ୍ବିଟ କରି ଭାରତ କୋରନା ମହାମାରୀ ମୁକ୍ତ ହେବାର ଆଶାକୁ ଦର୍ଶାଇଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି, "ଯେତେବେଳେ ଭାରତ ପୋଲିଓମୁକ୍ତ ହୋଇଥିଲା, ତାହା ଆମ ପାଇଁ ଗର୍ବର ମୁହୂର୍ତ୍ତ ଥିଲା । ସେହିଭଳି ଭାରତ କୋରୋନା ମହାମାରୀ ମୁକ୍ତ ହୋଇ ଅନୁରୂପ ଭାବରେ ଏକ ଗର୍ବିତ ମୁହୂର୍ତ୍ତ ହେବାକୁ ଯାଉଛି ।" ସେ ନିଜ ଟ୍ବିଟରେ ୟୁନିସେଫଇଣ୍ଡିଆ ଓ ଭାରତର ସ୍ବାସ୍ଥ୍ୟବିଭାଗକୁ ଟ୍ୟାଗ କରିଛନ୍ତି ।