ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ଗୋର୍ଖା' ପୋଷ୍ଟରରେ ଥିବା ଅସ୍ତ୍ରକୁ ନେଇ ବିବାଦ । ଜଣେ ପୂର୍ବତନ ଗୋର୍ଖା ଅଫିସର ଏନେଇ ପ୍ରଶ୍ନ ଉଠାଇଛନ୍ତି । ଅଫିସର ଜଣକ ଏନେଇ ଭୁଲ୍ ଦର୍ଶାଇ ଟ୍ବିଟ କରିବା ପରେ ରିଟ୍ବିଟ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫିଲ୍ମର ମୁଖ୍ୟ ନାୟକ ଅକ୍ଷୟ କୁମାର ।
ଅକ୍ଷୟ କୁମାର ଟ୍ବିଟ କରି କହିଛନ୍ତି ଯେ, 'ପ୍ରିୟର ମେଜର୍ ଜଲି 'ଗୋର୍ଖା' ପୋଷ୍ଟରରେ ଥିବା ତ୍ରୁଟିକୁ ଦର୍ଶାଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ଆମେ ଏନେଇ ଆଗକୁ ଯତ୍ନବାନ ହେବୁ । 'ଗୋର୍ଖା' ଫିଲ୍ମ କରି ମୁଁ ଅତ୍ୟନ୍ତ ଗର୍ବିତ ଏବଂ ଗୌରବାନ୍ୱିତ । ଏହାକୁ ବାସ୍ତବତାର ନିକଟତର କରିବାକୁ ଯେକୌଣସି ପରାମର୍ଶ ଅଧିକ ପ୍ରଶଂସିତ ହେବ । ପୋଷ୍ଟରରେ ଥିବା ତ୍ରୁଟିକୁ ଭୁଲ୍ ଦର୍ଶାଇଥିବାରୁ ଧନ୍ୟବାଦ ।'
ସୂଚନା ଅନୁଯାୟୀ, ପରଦାକୁ ଆସୁଛି ଖିଲାଡି ଅକ୍ଷୟଙ୍କ ଅଭିନିତ ଫିଲ୍ମ 'ଗୋର୍ଖା' । ଏହି ସିନେମା ଜଣେ ସେନା ଅଧିକାରୀଙ୍କ ଜୀବନୀ ଉପରେ ଆଧାରିତ । ଏହା ମେଜର ଜେନେରାଲ ଲାନ୍ କାରଡୋଜୋଙ୍କ ଜୀବନୀ ଉପରେ ଆଧାରିତ । ମେଜର ଜେନେରାଲ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ତାଙ୍କର ଗୋଡ଼ ହରାଇବା ପରେ ମଧ୍ୟ ବାଟାଲିୟନ ଓ ବ୍ରିଗେଡ୍ର ନେତୃତ୍ୱ ନେଇଥିଲେ । ତାଙ୍କର ଏହି ରିୟଲ ଲାଇଫ କାହାଣୀକୁ ନେଇ 'ଗୋର୍ଖା' ସିନେମା ନିର୍ମିତ ହୋଇଛି ।
ଏନେଇ ଗତ ଶୁକ୍ରବାର ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ବିବାଦ । ପୋଷ୍ଟରରେ ଦେଖା ଯାଇଥିବା ଶସ୍ତ୍ର ଖୁକ୍ରୀ ନୁହେଁ ବୋଲି ଗୋର୍ଖା ରାଇଫଲ୍ସର ପୂର୍ବତନ ସେନା ଅଧିକାରୀ ଟ୍ୱିଟ୍ କରି କହିବା ସହ ଏହାକୁ ସୁଧାରିବାକୁ ଲେଖିଛନ୍ତି । ଏଥିସହ ସେ, ‘ଗୋର୍ଖା’ ଉପରେ ସିନେମା ନିର୍ମାଣ କରୁଥିବାରୁ ସେ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ୍ରେ ଖୁକ୍ରୀର ସଠିକ୍ ଫଟୋ ମଧ୍ୟ ଅପଲୋଡ୍ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ