ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରଣାୱତ ବଲିଉଡର ଅନେକ ନିର୍ଦ୍ଦେଶକ, ନିର୍ମାତା ଓ କଳାକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ସେ ନିକଟରେ କହିଥିଲେ ଯେ, ବଲିଉଡରେ ଚାଲିଥିବା ପରିବାରବାଦ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଏବେ ପୁଣିଥରେ ଏହି ମାମଲାକୁ ନେଇ କଙ୍ଗନା ଚର୍ଚ୍ଚାରେ ଆସିଛନ୍ତି । ଏଥର ସେ ଦାବି କରିଛନ୍ତି ଯଦି ସେ ନିଜ ଦାବି ସାବ୍ୟସ୍ତ ନକରିପାରିଲେ ତେବେ ସରକାରଙ୍କ ଦ୍ବାରା ତାଙ୍କୁ ମିଳିଥିବା ପ୍ରତିଷ୍ଠିତ ଆୱାର୍ଡ ପଦ୍ମଶ୍ରୀ ଫେରାଇ ଦେବେ।
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ନିଜ ଦାବି ସାବ୍ୟସ୍ତ ନକଲେ ପଦ୍ମଶ୍ରୀ ଫେରାଇବେ କଙ୍ଗନା
ପୁଣି ନିଜ ବୟାନ ପାଇଁ ଚର୍ଚ୍ଚାରେ ବି-ଟାଉନର କୁଇନ କଙ୍ଗନା। ନିଜ ପଦ୍ମଶ୍ରୀ ଆୱାର୍ଡ ଫେରାଇବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ସେ।
ଏକ ସାକ୍ଷାତକାରରେ ଏପରି ବୟାନ ଦେଇ ବର୍ତ୍ତମାନ ସେ ଚର୍ଚ୍ଚାରେ । ସେହିପରି ସେ କହିଛନ୍ତି, ‘ମୁମ୍ବାଇ ପୋଲିସ ମତେ ଡାକିଥିଲା ଆଉ ମୁଁ ପଚାରିଥିଲି ଯେ ଏବେ ମୁଁ ମନାଲୀରେ ଅଛି ସେ କୌଣସି ସଦସ୍ୟଙ୍କୁ ଏଠାକୁ ପଠାଇପାରିବେ ମୋ ବୟାନ ନେବା ପାଇଁ । ହେଲେ ଏହାପରେ ମତେ ପୋଲିସ ତରଫରୁ କୌଣସି ଜବାବ ମିଳିନଥିଲା । ମୁଁ କହିବାକୁ ଚାହୁଁଛି ଯେ ଯଦି ମୁଁ କିଛି କହିଦେଇଛି, ଯାହା ମୁଁ ସାବ୍ୟସ୍ତ କରିପାରିବି ନାହିଁ ତେବେ ମତେ ମିଳିଥିବା ପଦ୍ମଶ୍ରୀ ଫେରାଇ ଦେବି । ମୁଁ ସେହି ପୁରସ୍କାରର ଯୋଗ୍ୟା ନୁହେଁ । ମୁଁ ସେ ମଣିଷ ନୁହେଁ ଯେ ଏପରି ମିଛ ବୟାନ ଦେବି। ଆଉ ଏଯାବତ ମୁଁ ଯାହା କହିଛି ତାହା ଜନତାଙ୍କ ହିତରେ କହିଛି।’
ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା କଙ୍ଗନା ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି ତାଙ୍କର ଯୋଜନାବଦ୍ଧ ହତ୍ୟା ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।