ମୁମ୍ବାଇ: ରାଜ ମେହେତାଙ୍କ ଆଗାମୀ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ସୁଟିଂରେ ବ୍ୟସ୍ତ ଥିବା ଅଭିନେତା ଅନିଲ କପୁର, ନୀତୁ କପୁର ଏବଂ ବରୁଣ ଧାୱନଙ୍କୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ବର୍ତ୍ତମାନ କୋରୋନା ସଂକ୍ରମିତ ହୋଇଛନ୍ତି ଏହି ଷ୍ଟାର୍ସ । କରନ ଜୋହରଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ଫିଲ୍ମର ସୁଟିଂ ଗତ 16 ତାରିଖରେ ଚଣ୍ଡିଗଡରେ ଆରମ୍ଭ ହୋଇଥିଲା । ଏମାନଙ୍କ ପୂର୍ବରୁ ଅନେକ ସେଲିବ୍ରିଟି କୋରୋନା ଆକ୍ରାନ୍ତ ହୋଇସାରିଲେଣି ।
ସୁଟିଂ ସେଟରେ ସବୁ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କୋରୋନା କବଳରୁ ନିଜକୁ ସୁରକ୍ଷିତ କରିବାରେ ବିଫଳ ଅନିଲ, ନୀତୁ ଓ ବରୁଣ । ପ୍ରକାଶ ଥାଉକି ଏହି ଫିଲ୍ମ ଜରିଆରେ ଦୀର୍ଘ 6 ବର୍ଷ ପରେ ଅଭିନୟ ଦୁନିଆକୁ କମବ୍ୟାକ କରିଛନ୍ତି ନୀତୁ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । ସେ ଶେଷଥର 2013ରେ ଆସିଥିବା ଫିଲ୍ମ ‘ବେସରମ’ରେ ନଜର ଆସିଥିଲେ ।