ହାଇଦ୍ରାବାଦ:ବିଲେନିୟର ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X(ପୂର୍ବର ଟ୍ବିଟର)ରେ ଶୀଘ୍ର ମିଳିପାରେ ପେମେଣ୍ଟ ସୁବିଧା । କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋଙ୍କ ଏକ୍ସରେ ଏକ ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି । ଅଡିଓ, ଭିଡିଓ, ମେସେଜିଂ, ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ ସୁବିଧା ଖୁବ ଶୀଘ୍ର ସୋସିଆଲ ମିଡିଆ ଆପ ଏକ୍ସରେ ମିଳିପାରେ ବୋଲି ୟାକାରିନୋ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରୁ ଜଣାପଡୁଛି । ନିକଟରେ ହ୍ବାଟ୍ସଆପରେ ପେମେଣ୍ଟ ଫିଚର ରୋଲଆଉଟ କରାଯାଇଥିବା ବେଳେ ଖୁବଶୀଘ୍ର ଏକ୍ସରେ ମଧ୍ୟ ମିଳିପାରେ ସୁବିଧା ।
ଗୁଗୁଲ ପେ ଭଳି ଏକ୍ସରେ କରିହେବ ପେମେଣ୍ଟ: ନୂଆ ଫିଚର ଘୋଷଣା କରି ଲିଣ୍ଡା ୟାକାରିନୋ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଆଗାମୀ ଦିନରେ Xରେ ରୋଲଆଉଟ ହେବାକୁ ଥିବା ସମସ୍ତ ଫିଚର ବିଷୟରେ ସୂଚନା ଦିଆଯାଇଛି। ସେ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି, 'ଏକ୍ସରେ ଆଗକୁ ଆସିବାକୁ ଥିବା ଫିଚର ନେଇ ସୂଚନା ।' ଦୁଇ ମିନିଟର ଏହି ଭିଡିଓରେ ଆଗକୁ ରୋଲଆଉଟ ହେବାକୁ ଥିବା ପ୍ରତ୍ୟେକ ବିଷୟ ଉପରେ ସୂଚନା ଦିଆଯାଇଛି ।
ଭିଡିଓ ଅନୁଯାୟୀ, ପେମେଣ୍ଟ କରିବା ବ୍ୟତୀତ ଭିଡିଓ କଲିଂ ସୁବିଧା ମଧ୍ୟ ପ୍ଲାଟଫର୍ମରେ ଶୀଘ୍ର ଉପଲବ୍ଧ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଟେକ୍ସ ମେସେଜରେ ଅନ୍ୟମାନଙ୍କ ସହ ଯୋଡି ହେବାର ସୁବିଧା ମିଳୁଥିବା ବେଳେ ଆଗାମୀ ଦିନରେ ଭିଡିଓ କଲିଂ ଠାରୁ ଆରମ୍ଭ କରି ପେମେଣ୍ଟ ସୁବିଧା ଏବଂ ଚାକିରି ଖୋଜିବା ପର୍ଯ୍ୟନ୍ତ ସମସ୍ତ ଫିଚର X ରେ ଉପଲବ୍ଧ ହୋଇପାରେ ।