ହାଇଦ୍ରାବାଦ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ଟେଲିକମ୍ୟୁନିକେସନ ବିଲ 2023 । ଏହି ବିଲ୍ ଅଧୀନରେ ସାଟେଲାଇଟ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ନିଲାମୀ ପ୍ରକ୍ରିୟା ଗ୍ରହଣ କରାଯିବ । ଭଏସ ଭୋଟ ଜରିଆରେ ରାଜ୍ୟସଭାରେ ଟେଲିକମ ବିଲ୍ 2023 ଅନୁମୋଦିତ ହୋଇଥିଲା । ଏହି ବିଲ କୌଣସି ଜରୁରୀକାଳୀନ ପରସ୍ଥିତିରେ କିମ୍ବା ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଟେଲିକମ୍ ନେଟୱାର୍କକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଥାଏ । ଏହି ବିଲ ଭାରତୀୟ ଟେଲିଗ୍ରାଫ ଆକ୍ଟ 1885, ଭାରତୀୟ ବେତାଲ ଟେଲିଗ୍ରାଫ ଆକ୍ଟ 1933, ଟେଲିଗ୍ରାଫ୍ ଆକ୍ଟ 1950ର ମଧ୍ୟ ସଂଶୋଧନ କରିବ । ତେବେ ଜାଣନ୍ତୁ ଟେଲିକମ୍ ବିଲ କଣ ଏବଂ ଏହା ଦ୍ବାରା କଣ ପ୍ରଭାବିତ ହେବ ।
ସିମ କାର୍ଡ ଠକେଇ ପାଇଁ 3 ବର୍ଷ ଜେଲ ସହ 50 ଲକ୍ଷ ଜରିମାନା:ନକଲି ସିମ୍ କାର୍ଡର କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଲରେ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ପ୍ରକାର ସିମ୍ କାର୍ଡ ଠକେଇରେ 3 ବର୍ଷର ଜେଲଦଣ୍ଡ ସହିତ ଜରିମାନା ମଧ୍ୟ ଆଦାୟ କରାଯିବ । ଏହି ଆକ୍ଟ ଅନୁସାରେ ସିମ କାର୍ଡ ବିକ୍ରୟ, କ୍ରୟ ଏବଂ ବ୍ୟବହାର ଉପରେ ଜେଲଦଣ୍ଡ ସହିତ 50 ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଆଦାୟ କରାଯିବ । ସିମ ବିକ୍ରୟ ସମୟରେ ବାୟୋମେଟ୍ରିକ ତଥ୍ୟ ନିଆଯିବ । ଏହି ଡାଟା ହସ୍ତଗତ ପରେ ହିଁ ସିମ୍ ଆକ୍ଟିଭ ହୋଇପାରିବ ବୋଲି କୁହାଯାଇଛି ।
ସିମକୁ କପି କରିବା ଅପରାଧ: ସିମ କାର୍ଡକୁ କ୍ଲୋନ କରିବା କିମ୍ବା କୌଣସି ବ୍ୟକ୍ତି ସିମ କାର୍ଡର ଦୁରୁପଯୋଗ କରିବା ଭଳି କାର୍ଯ୍ୟକୁ ବର୍ତ୍ତମାନ ଅପରାଧ ତାଲିକାରେ ରଖାଯାଇଛି । ତେବେ ଭାରତର ଅନେକ ସ୍ଥାନରୁ ସିମ କାର୍ଡ କ୍ଲୋନ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ସିମକୁ କ୍ଲୋନ କରି ଲକ୍ଷଲକ୍ଷ ଟଙ୍କା ଆକାଉଣ୍ଟରୁ ଠକେଇ କରାଯାଉଛି। ତେବେ ଏହି ବିଲ ଦ୍ବାରା ଏଥିରେ କିଛି ମାତ୍ରାରେ ରୋକ ଲଗାଯାଇ ପାରିବ ।
ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ)ର କ୍ଷମତା ସୀମିତ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ)କୁ ନେଇ ଦୂରସଞ୍ଚାର କମ୍ପାନୀ ଗୁ଼ଡିକର ଭୁଲ ଧାରଣାକୁ ଦୂର କରିବ ଏହି ବିଲ। ଏହା ଟ୍ରାଇର କ୍ଷମତା ଉପରେ ମଧ୍ୟ ଅଙ୍କୁଶ ଲଗାଇଥାଏ।
ଲାଇସେନ୍ସ ଫେରସ୍ତ ପାଇଁ ନୂଆ ନିୟମ: ପାରିତ ହୋଇଥିବା ବିଲରେ ଟେଲିକମ ଲାଇସେନ୍ସ ସମ୍ବନ୍ଧରେ ନୂଆ ବ୍ୟବସ୍ଥା ରହିଛି। ଯଦି କୌଣସି କମ୍ପାନୀ ଲାଇସେନ୍ସ ଫେରସ୍ତ କରେ, ତାହାଲେ ଉକ୍ତ କ୍ଷେତ୍ରରେ ଲାଇସେନ୍ସ ଫି ମଧ୍ୟ ଫେରସ୍ତ କରାଯିବ।
ପ୍ରମୋସନାଲ ମେସେଜ ପାଇଁ ଅନୁମତି: ଟେଲିକମ କମ୍ପାନୀ ଗୁଡିକର ରହିଥିବା ପ୍ରମୋସନାଲ ମେସେଜ ଅଧିକାରରେ ଏହି ବିଲରେ ପରିବର୍ତ୍ତନ କରାଯାଇଛି। ଏଣିକି ପ୍ରମୋସନାଲ ମେସେଜ ପଠାଇବା ପୂର୍ବରୁ ଟେଲିକମ କମ୍ପାନୀ ଗୁଡିକୁ ସରକାରଙ୍କ ଠାରୁ ଅନୁମତି ଆଣିବା ଆବଶ୍ୟକ।