ହାଇଦ୍ରାବାଦ:ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାତେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ତେବେ ଆଗକୁ ମଧ୍ୟ ଆହୁରି ସଫଳତା ହାତେଇବା ନେଇ କହିଛନ୍ତି ଇସ୍ରୋ ମୁଖ୍ୟ । ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରି ଏସ୍ ସୋମନାଥ କହିଛନ୍ତି, 2035 ସୁଦ୍ଧା ଭାରତ ପ୍ରଥମ ସ୍ପେସ ଷ୍ଟେସନ ସ୍ଥାପନ କରିବା ନେଇ ଲକ୍ଷ୍ୟ ରହିଛି । ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିବା ପରେ ଆମେ ଏହାକୁ ଏକ ଲାବ୍ରୋଟୋରୀରେ ପରିଣତ କରିବାକୁ ଚାହୁଁଛୁ । ଏହା ଏକ ପ୍ରୟୋଗଶାଳା ହେବ ଯେଉଁଠାରେ ସମସ୍ତେ ଭାରତୀୟ ଆସି ପରୀକ୍ଷଣ କରିପାରିବେ ବୋଲି କହିଛନ୍ତି ସୋମନାଥ ।
ଇସ୍ରୋ ମୁଖ୍ୟଙ୍କ କହିବା ଅନୁସାରେ, "ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିବା ଆମେ ସମ୍ଭବ ବୋଲି ଭାବୁଛୁ । ମନୁଷ୍ୟ ଚନ୍ଦ୍ରରେ ପହଞ୍ଚିବା ଦ୍ବାରା ଏହାର ଆର୍ଥିକ ପ୍ରଭାବ ପଡିବ । କାରଣ ଭବିଷ୍ୟତରେ କେବଳ ପୃଥିବୀ ପାଖରେ ରଣନୀତିକ କାର୍ଯ୍ୟକଳାପ ରହିବ ନାହିଁ । ପୃଥିବୀର ବିଭିନ୍ନ କାର୍ଯ୍ୟ ପାଇଁ ଆସନ୍ତା 5ରୁ 10 ବର୍ଷ ମଧ୍ୟରେ ଶିଳ୍ପ ସଂସ୍ଥା ଗୁଡିକୁ ଶହ ଶହ ମହାକାଶ ଯାନ ତିଆରି କରିବାକୁ ହେବ । 2040 ସୁଦ୍ଧା ଚନ୍ଦ୍ରରେ ଭାରତର ଉପସ୍ଥିତି ରହିବ ।"
ପୂର୍ବରୁ ଚନ୍ଦ୍ରଯାନ-3ରେ ଇସ୍ରୋ ଐତିହାସିକ ସଫଳତା ହାସଲ କରିଥିବା ବେଳେ ଆଦିତ୍ୟ ଏଲ-1 ମଧ୍ୟ ସଫଳତା ଦିଗରେ ଆଗେଇ ଚାଲିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନକୁ ନେଇ ସୋମନାଥ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ମହାକାଶ ଜଡିତ କ୍ଷେତ୍ରରେ ଜଣେ ଉତ୍ସାହୀ ସମର୍ଥକ । ଯେତେବେଳେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ, ସେତେବେଳୁ ସେ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ସମର୍ଥକ ଅଟନ୍ତି । ମହାକାଶରେ ମାନବ ଉପସ୍ଥିତି ପାଇଁ ନିରନ୍ତର କାର୍ଯ୍ୟ କରିବା ଉଚିତ ବୋଲି ସେ ସର୍ବଦା ଆମକୁ ଅନୁପ୍ରାଣିତ କରିଥାଆନ୍ତି ।"