ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଫଟୋ ଲଗାଇଲେ ବିଜେପି ନେତା । ହେଲେ ଫଟୋ ଲଗାଇବାର କିଛି ସମୟ ପରେ ଭେରିଫାଇଡ ଆକାଉଣ୍ଟରୁ ବ୍ଲୁଟିକ କାଢିନେଲା ଏକ୍ସ । ଏପରିକି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁଟିକ ହଟିଯାଇଥିବା ନଜରକୁ ଆସିଛି । ଏକ୍ସର ଏଭଳି କାର୍ଯ୍ୟକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
କହିରଖୁଛୁ କି, ଆସନ୍ତାକାଲି(ମଙ୍ଗଳବାର) ଦେଶ ପାଳିବ 77ତମ ସ୍ବାଧିନତା ଦିବସ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପ୍ରତିଟି ଭାରତୀୟ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଥିଲେ । ଟ୍ବିଟର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଫଟୋ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଅନେକ ନେତା ମନ୍ତ୍ରୀ ନିଜ ଫଟୋ ହଟାଇ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଥିଲେ । ହେଲେ ଏହା ବର୍ତ୍ତମାନ ବିଜେପି ନେତାକୁ ମହଙ୍ଗା ପଡିଲା ଭଳି ମନେ ହେଉଛି । ଅନେକ ନେତା ମନ୍ତ୍ରୀଙ୍କ ଆକାଉଣ୍ଟରୁ ଗୋଲ୍ଡେନ ଟିକ କାଢି ନେଇଛି ଏକ୍ସ ।
ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗାର ଫଟୋ ଲଗାଇଥିବା ନେତା ମନ୍ତ୍ରୀଙ୍କ ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମିଲ ହୋଇଛନ୍ତି ।