ୱାଶିଂଟନ:ଆଜି ମହାକାଶରେ ଭାରତ ଇତିହାସ ରଚିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ISRO)ର ମିଶନ ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବ ବୋଲି ଆଶା ରହିଛି । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଭାରତ ସମେତ ସମଗ୍ର ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଏହି ଅବସରରେ ନାସାର ପୂର୍ବତନ ଅଧିକାରୀ ତଥା ରେଡୱାୟାର ସ୍ପେଶର ଚିଫ୍ ଗ୍ରୋଥ୍ ଅଫିସର ମାଇକ ଗୋଲ୍ଡ ଭାରତର ମୁନ ମିଶନକୁ ପ୍ରଶଂସା କରି କହିଛନ୍ତି, ଏହି ମିଶନ ସଫଳ ହେଉକି ନ ହେଉ ଏହା ନିଜ ଭିତରେ ଏକ ବଡ ସଫଳତା ଅଟେ ।
ରେଡୱାୟାର ସ୍ପେଶର ମୁଖ୍ୟ ବିକାଶ ଅଧିକାରୀ ମାଇକ ଗୋଲ୍ଡ ଆହୁରି ମଧ୍ୟ କହିଛନ୍ତି ଯେ, ଚନ୍ଦ୍ରଯାନ-୩ରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ଅପାର କ୍ଷମତା ରହିଛି ଏବଂ ଚନ୍ଦ୍ରକୁ ବୁଝିବାରେ ଏହାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ । ଏହା ସାହାଯ୍ୟରେ ଚନ୍ଦ୍ରର କେଉଁ ସ୍ଥାନରେ ମଣିଷ ଜୀବନଧାରଣ ସମ୍ଭବ ହେବ ତାହା ଜାଣି ହେବ । ANI ସହ ସାକ୍ଷାତକାରରେ କହିଛନ୍ତି, ଆମ ଏକ ନୂଆ ଯୁଗରେ ପାଦ ଦେଉଛୁ । ଏହା ଚନ୍ଦ୍ରର ଆର୍ଟେମିସ୍ ଯୁଗ, ଯେଉଁଠାରେ ଆମେ କେବଳ ଥରେ କି ଦୁଇଥର ନୁହେଁ ବରଂ ଚନ୍ଦ୍ରରେ ଏକ ସ୍ଥାୟୀ ଉପସ୍ଥିତି ପ୍ରତିଷ୍ଠା କରିବାକୁ ଯାଉଛୁ ।