ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଫିନଟେକ ଷ୍ଟାଟଅପ୍ ପେଟିଏମ । ତେବେ ବର୍ତ୍ତମାନ କୌଣସି ଅଫର, କ୍ୟାସ୍ବ୍ୟାକ୍ କିମ୍ବା ଋଣ ଯୋଗାଇବା ନୁହେଁ, ବରଂ କର୍ମଚାରୀଙ୍କୁ ବିଦା କରିବା ନେଇ ଚର୍ଚ୍ଚାର ପରିସରକୁ ଆସିଛି । ପେଟିଏମ୍ ପୁଣି ଥରେ ନିଜ କର୍ମଚାରୀଙ୍କୁ କମ୍ପାନୀରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି । ପେଟିଏମ ଏହାର ମୋଟ କର୍ମଚାରୀଙ୍କୁ ପ୍ରାୟ 10 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।
ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପେଟିଏମ୍ର ପ୍ୟାରେଣ୍ଟ କମ୍ପାନୀ ଓ୍ବାନ୍ 97 କମ୍ୟୁନିକେସନ 1000ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି । ଗତ କିଛି ମାସ ମଧ୍ୟରେ ଏହି ଛଟେଇ ହୋଇଥିବା ବେଳେ ବିଭିନ୍ନ ୟୁନିଟ୍ର କର୍ମଚାରୀମାନେ ଏହାର ଶିକାର ହୋଇଛନ୍ତି । ଖର୍ଚ୍ଚ କମ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ଏକ ରିପୋର୍ଟରେ କୁହାଯାଇଟଛି ।
ଭାରତୀୟ ଷ୍ଟାଟଅପରେ ସବୁଠୁ ବଡ ଛଟେଇ: ପେଟିଏମ୍ର ଛଟେଇରେ ପ୍ରାୟ 10 ପ୍ରତିଶତ କର୍ମଚାରୀ ପ୍ରଭାବିତ ହୋଇଛନ୍ତି । ଭାରତୀୟ ଷ୍ଟାର୍ଟଅପ୍ରେ ହୋଇଥିବା ବଡ଼ ଛଟେଇ ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ 28 ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀମାନେ ଚାକିରିରୁ ବିଦା କରିଥିଲେ । ଏହାପୂର୍ବରୁ 2022 ମସିହାରେ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ 20 ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲେ ଏବଂ 2021 ମସିହାରେ 4 ହଜାରରୁ ଅଧିକ କର୍ମଚାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ସୂଚନା ମୁତାବକ ଏହା ପୂର୍ବରୁ ମଧ୍ୟ ପେଟିଏମ୍ ଅନେକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା ।