ହାଇଦ୍ରାବାଦ:ବିବାହ ବନ୍ଧନରେ ବାନ୍ଧିହେଲେ ଓପନଏଆଇ ସିଇଓ । ଚାଟଜିପିଟି ପ୍ରସ୍ତୁତକାରୀ କମ୍ପାନୀ ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନ ନିଜ ପାର୍ଟନର ଓଲିଭର ମୁଲହେରିନଙ୍କ ସହ ବିବାହ କରିଛନ୍ତି । ଦୁହେଁ ନିରଡାମ୍ବରରେ ଆମେରିକାରେ ସମଲିଙ୍ଗୀ ବିବାହ କରିଥିବା ସୂଚନା ରହିଛି । ତେବେ ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଥିବା ବେଳେ ଏହାକୁ କିଛି ବ୍ୟକ୍ତି ଏଆଇ ଜେନେରେଟେଡ ଫଟୋ ବୋଲି କହିଥିଲେ । କିନ୍ତୁ ନିଜ ବିବାହ ନେଇ ଖୋଦ ସାମ ଅଲ୍ଟମ୍ୟାନ ମଧ୍ୟ ସୂଚନା ଦେଇଛନ୍ତି । ଅନ୍ୟପଟେ ଓଲିଭର ମୁଲହେରିନ ମଧ୍ୟ ନିଜ ବିବାହକୁ ସୁନିଶ୍ଚିତ କରିଥିବା ବେଳେ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଓଲିଭର ମୁଲହେରିନ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ମୁଁ ମୋର ପୁରୁଣା ବନ୍ଧୁ ତଥା ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନଙ୍କୁ ବିବାହ କରିଛି । ଏକ ନ୍ୟୁଜ ଓ୍ବେବସାଇଟର ସ୍କ୍ରିନସଟକୁ ମଧ୍ୟ ସେୟାର କରିଛନ୍ତି । ସେ ବିବାହ ନିରଡାମ୍ବରରେ ହୋଇଥିବା ବେଳେ କେବଳ ପରିବାର ଏବଂ ବନ୍ଧୁବର୍ଗ ସାମିଲ ହୋଇଥିଲେ ।
ପ୍ରକାଶଥାଉକି, ଗତ ସେପ୍ଟେମ୍ବରରେ ଏକ ମ୍ୟାଗାଜିନକୁ ସାକ୍ଷାତକାରରେ ଅଲ୍ଟମ୍ୟାନ କହିଥିଲେ, "ମୁଁ ଏବଂ ଓଲିଭର ମୁଲହେରିନ ଶୀଘ୍ର ବେବିଂ ବା ଛୁଆ ପ୍ଲାନିଂ କରିବୁ ।" ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ହ୍ବାଇଟହାଉସରେ ଆୟୋଜିତ ରାତ୍ରୀ ଭୋଜନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦୁହେଁ ଯୋଗ ଦେଇଥିଲେ ।