ହାଇଦ୍ରାବାଦ:ଅର୍ଥନୀତିରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଅର୍ଥଶାସ୍ତ୍ରୀ କ୍ଲାଉଡିଆ ଗୋଲ୍ଡିନଙ୍କୁ ଚଳିତ ବର୍ଷ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିବା ନେଇ ଘୋଷଣା କରିଛି ରୟାଲ ସ୍ବଡେନ ଏକାଡେମୀ । କ୍ଲାଉଡିଆ ଗୋଲ୍ଡିନ ହେଉଛନ୍ତି 77 ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ । ମହିଳା ଶ୍ରମ ବଜାରର ପରିଣାମ ବିଷୟରେ ଗବେଷଣା ଏବଂ ନିଜର ସିଦ୍ଧାନ୍ତ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଷ୍ଟକହୋମରୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଅର୍ଥନୀତିରେ ମହିଳାମାନଙ୍କର ଶ୍ରମଦାନର ଆବଶ୍ୟକତା ଉପରେ କ୍ଲାଉଡିଆଙ୍କ ତଥ୍ୟ ବିଶ୍ବକୁ ଏକ ନୂଆ ଦିଗନ୍ତ ଦେଇଛି ବୋଲି ଘୋଷଣା କରାଯାଇଛି ।
କ୍ଲାଉଡିଆ ଗୋଲ୍ଡିନ 1946 ମସିହା ମେ 14 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତେବେ ସେ ମାଡିସନର ଓ୍ବିସକନସିନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଏହାପରେ 1972 ମସିହାରେ ପ୍ରିନ୍ସଟନ ୟୁନିଭରସିଟିରେ ପାଠ ପଢିବା ପରେ 1979 ମସିହାରେ ପେନସିଲଭାନିଆ ୟୁନିଭରସିଟିରେ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । 1989 ମସିହାରୁ 2017 ପର୍ଯ୍ୟନ୍ତ NBERର ଡେଭଲପମେଣ୍ଟ ଅଫ ଆମେରିକାନ ଇକୋନୋମି ପ୍ରୋଗ୍ରାମର ନିର୍ଦ୍ଦେଶକ ଥିଲେ ।
ଗୋଟିଏ ଶତାବ୍ଦୀ ମଧ୍ୟରେ ମହିଳାଙ୍କ ରୋଜଗାର ଏବଂ ବିଶ୍ବ ଅର୍ଥନୀତିରେ ସେମାନଙ୍କର ଭାଗୀଦାରି ଉପରେ ତଥ୍ୟ ପ୍ରଦାନ କରାଯାଇଛି। କ୍ଲାଉଡିଆଙ୍କ ଏହି ତଥ୍ୟ ପରିବର୍ତ୍ତନର କାରଣ ଏବଂ ଲିଙ୍ଗଗତ ବିଭେଦ ସମ୍ପର୍କରେ ଅବଗତ କରାଇଛି ବୋଲି ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ କୁହାଯାଇଛି । ତେବେ କ୍ଲାଉଡିଆ ଗୋଲ୍ଡିନଙ୍କୁ 11 ମିଲିୟନ ସ୍ବିଡିସ କ୍ରାଉନ ପ୍ରଦାନ କରାଯିବ । ଶିଳ୍ପପତି ଆଲଫ୍ରେଡ ନୋବେଲଙ୍କ ଓ୍ବିଲ ଅନୁସାରେ ଏହି ନୋବେଲ ପୁରସ୍କାର ପ୍ରଦାନ କରାଯିବ। କହିରଖୁଛୁ କି 1968 ମସିହାରେ ଅର୍ଥନୀତିରେ ନୋବେଲ ଆରମ୍ଭ କରାଯାଇଥିଲା ଏବଂ ଏହି ପୁରସ୍କାର ସ୍ବୀଡେନର କେନ୍ଦ୍ରୀୟ ବ୍ୟାଙ୍କ ପ୍ରଦାନ କରିଥାଏ । ପ୍ରକାଶଥାଉକି, ରୟାଲ ସ୍ବଡେନ ଏକାଡେମୀ ପକ୍ଷରୁ ଗତବର୍ଷ 3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା