ହାଇଦ୍ରାବାଦ: ଟ୍ରାଫିକ୍ ବଜାୟ ରଖିପାରୁନି ଥ୍ରେଡ୍ସ ଆପ୍ । ପ୍ରାରମ୍ଭରେ ଭଲ ପ୍ରଦର୍ଶନ କରିବା ପରେ, ମେଟାର ଥ୍ରେଡ୍ସ ଆପର ଟ୍ରାଫିକ୍ କ୍ରମାଗତ ଭାବେ ହ୍ରାସ ପାଉଛି । ସିମିଲାର ୱେବ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, "ଥ୍ରେଡ୍ସ ଆପ୍ରେ ଏକ ମାସ ମଧ୍ୟରେ ଟ୍ରାଫିକରେ 79 ପ୍ରତିଶତ ହ୍ରାସ ଘଟିଛି । ଲୋକମାନେ ଆଉ ଥ୍ରେଡ୍ସ ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି ।"
ରିପୋର୍ଟ ଅନୁଯାୟୀ, ଜୁଲାଇ 7ରେ ଥ୍ରେଡ୍ସ ଆଣ୍ଡ୍ରଏଡ ଆପ୍ରେ 49.3 ମିଲିୟନ ଟ୍ରାଫିକ୍ ରହିଥିଲା । ହେଲେ ବର୍ତ୍ତମାନ ଏହା 10.3 ମିଲିୟନକୁ ଖସି ଆସିଛି । ଅନ୍ୟପଟେ ଥ୍ରେଡ୍ସ ଆପ୍ରେ ୟୁଜର୍ସ ବିତାଉଥିବା ସମୟରେ ମଧ୍ୟ କମ ହୋଇଥିବା ଦେଖାଯାଇଛି । ବିଶ୍ବରେ ବ୍ୟକ୍ତିମାନେ ଥ୍ରେଡ୍ସ ଆପରେ ପ୍ରାୟ ହାରାହାରି 14 ମିନିଟ ସମୟ ବିତାଉଥିଲେ । ଏହାରି ଭିତରେ 7 ଜୁଲାଇରେ ଆମେରିଆରେ ହାରାହାରି 21 ମିନିଟ ସମୟ ବିତାଉଥିଲେ ୟୁଜର୍ସ । ହେଲେ ମାସେ ଭିତରେ ପ୍ରାୟ 70 ପ୍ରତିଶତ ତଳକୁ ଖସିଛି ଟ୍ରାଫିକ । ବର୍ତ୍ତମାନ ଥ୍ରେଡ୍ସ ଆପ୍ରେ 3 ମିନିଟ ସମୟ ବିତାଉଛନ୍ତି ୟୁଜର୍ସ ।
ଏକ୍ସରେ କେତେ ସମୟ ବିତାଉଛନ୍ତି ୟୁଜର୍ସ:ଥ୍ରେଡ୍ସର ପ୍ରତିଯୋଗୀ ଟ୍ୱିଟର ଆପ୍ ବିଷୟରେ କହିବାକୁ ଗଲେ, ଏଥିରେ ବର୍ତ୍ତମାନ ୟୁଜର୍ସ ସଂଖ୍ୟା 100 ମିଲିୟନରୁ ଅଧିକ ରହିଛି । ଏହି ଆପ୍ରେ ଲୋକେ ପ୍ରତିଦିନ ହାରାହାରି 25 ମିନିଟ ସମୟ ବିତାଉଛନ୍ତି । ତେବେ ଏଥରୁ ସ୍ପଷ୍ଟ ହେଉଛି ଯେ, ଲେକମାନେ ଏଲନ୍ ମସ୍କଙ୍କ ଏକ୍ସକୁ ପସନ୍ଦ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ସମୟ ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି ।