ଓଡିଶା

odisha

ETV Bharat / science-and-technology

ଚନ୍ଦ୍ରର ଦକ୍ଷିଣ ମେରୁରେ ଜନ ବସତି ସମ୍ଭବନା, ଏହା କହିଲେ ଇସ୍ରୋ ମୁଖ୍ୟ - ଚନ୍ଦ୍ରର ଦକ୍ଷିଣ ମେରୁରେ କଣ ରହିଛି

ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ପାଇଁ କାହିଁକି ଚନ୍ଦ୍ରର ଦକ୍ଷିଣ ମେରୁକୁ ଚୟନ କରାଗଲା ସେନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ଅଧିକ ପଢନ୍ତୁ

ISRO chief S Somanath
ISRO chief S Somanath

By ETV Bharat Odisha Team

Published : Aug 24, 2023, 3:44 PM IST

ହାଇଦ୍ରାବାଦ:ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଛି । ପ୍ରଥମ ଥର ପାଇଁ କୌଣସି ଦେଶର ଉପଗ୍ରହ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିଛି । ଏହାପୂର୍ବରୁ କୌଣସି ଦେଶ ଏହି ଉପଲବ୍ଧି ହାସଲ କରି ପାରିନାହାନ୍ତି । ତେବେ ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ପାଇଁ କାହିଁକି ଚନ୍ଦ୍ରର ଦକ୍ଷିଣ ମେରୁକୁ ଚୟନ କରାଗଲା ସେନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ସୋମନାଥଙ୍କ ମୁତାବକ ଭବିଷ୍ୟତରେ ଚନ୍ଦ୍ରରେ ମାନବ ସଭ୍ୟତାର କଳ୍ପନା କରି ହେବ ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ମିଶନର ସଫଳ ଅବତରଣ ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, "ମନରେ କ’ଣ ଘଟୁଛି ତାହା ବର୍ଣ୍ଣନା କରିବା ଅତ୍ୟନ୍ତ କଷ୍ଟକର। ଏହା ଆନନ୍ଦ ହୋଇପାରେ, ଏହା ସଫଳତାର ତୃପ୍ତି ହୋଇପାରେ । ଏହି ମିଶନର ସଫଳତାରେ ଯୋଗଦାନ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।"

ଚନ୍ଦ୍ରର ଦକ୍ଷିଣ ମେରୁକୁ କାହିଁକି ମନୋନୀତ ହେଲା ସେ ସମ୍ପର୍କରେ ସୋମନାଥ କହିଛନ୍ତି, "ଆମେ ଦକ୍ଷିଣ ମେରୁର ନିକଟତର ହୋଇଛୁ । ଏଠାରେ ତାପମାତ୍ରା 70 ଡିଗ୍ରୀ ରହିଛି । ସୂର୍ଯ୍ୟଙ୍କଠାରୁ କମ୍ ଆଲୋକ ଆସୁଥିବାରୁ ଦକ୍ଷିଣ ମେରୁରେ ଏକ ବିଶେଷ ସୁବିଧା ରହିଛି । ଏଠାରେ ଅଧିକ ବୈଜ୍ଞାନିକ ସମ୍ଭାବନା ରହିଛି । ବର୍ତ୍ତମାନ ଏଠାକୁ ମନୁଷ୍ୟ ଯିବାକୁ ଚାହୁଁଛି ଓ ଏଠାରେ ଜନସମାଜ ସୃଷ୍ଟି କରିବାକୁ ଚାହୁଁଛି । ଏହି ଉଦ୍ଦେଶ୍ୟ ପାଇଁ ଦକ୍ଷିଣ ମେରୁ ସବୁଠାରୁ ଉତ୍କୃଷ୍ଟ ସ୍ଥାନ । ଏଠାରେ ସେହି ସମ୍ଭାବନା ରହିଛି ।"

ଏହା ମଧ୍ୟ ପଢନ୍ତୁ: Aditya-L1 Mission: ‘ସେପ୍ଟେମ୍ବର ଇସ୍ରୋର ମିଶନ ସୂର୍ଯ୍ୟ, ସରିଛି ପ୍ରସ୍ତୁତି’

ସଫ୍ଟ ଲ୍ୟାଣ୍ଡିଂ ପରେ ଚନ୍ଦ୍ରଯାନ-3କୁ ନେଇ ସେ କହିଛନ୍ତି, "ପ୍ରଜ୍ଞାନ ରୋଭର ପାଖରେ ଦୁଇଟି ଉପକରଣ ବା ଯନ୍ତ୍ର ଅଛି। ଏହା ଚନ୍ଦ୍ରପୃଷ୍ଠରେ ଘୁରି ବୁଲିବା ସହିତ ମୌଳିକ ରଚନା ତଥା ଚନ୍ଦ୍ରରେ ରାସାୟନିକ ସଂରଚନା ସନ୍ଧାନ କରିବ। ଆମେ ଏକ ରୋବୋଟିକ୍ ପଥ ଯୋଜନା ମଧ୍ୟ କରିବୁ ଯାହା ଆମର ଭବିଷ୍ୟତ ଅନୁସନ୍ଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।"

ତେବେ ସୂର୍ଯ୍ୟମିଶନକୁ ନେଇ ସେ କହିଛନ୍ତି, "ଆଦିତ୍ୟ ମିଶନ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ୍‌ କରାଯିବ। ଅନ୍ୟପଟେ ଗଗନଯାନର କାର୍ଯ୍ୟ ଜାରି ରହିଛି । ଆମେ କ୍ରୁ ମଡ୍ୟୁଲ୍ ଏବଂ କ୍ରୁ ଏସ୍କେପ୍‌ କ୍ଷମତା ପ୍ରଦର୍ଶନ କରିବାକୁ ସମର୍ଥ ହେବୁ । ସେପ୍ଟେମ୍ବର କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ଏକ ମିଶନ ଆରମ୍ଭ କରିବୁ । 2025 ସୁଦ୍ଧା ପ୍ରଥମ ମାନବ ମହାକାଶ ଯାନ ପ୍ରେରଣ ଯୋଜନା ରହିଛି ।"

ଚନ୍ଦ୍ରର ଦକ୍ଷିଣ ମେରୁରେ କଣ ରହିଛି? : କହିରଖୁଛୁ କି, ବୈଜ୍ଞାନିକ ଭେଙ୍କଟେଶ୍ୱରନଙ୍କ ଏନେଇ ଏକ ବୟାନ ଦେଇଥିଲେ । ଡ. ଭି.ଟି ଭେଙ୍କଟେଶ୍ୱରନଙ୍କ ମୁତାବକ, "ଚନ୍ଦ୍ରର ଦକ୍ଷିଣ ମେରୁର ନିଜର ବିଶେଷତା ଏବଂ ସମ୍ଭାବ୍ୟ ବୈଜ୍ଞାନିକ ମୂଲ୍ୟ ପାଇଁ ବୈଜ୍ଞାନିକଙ୍କ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ସାଜିଛି । ଦକ୍ଷିଣ ମେରୁରେ ଜଳ ଏବଂ ବରଫର ଭଣ୍ଡାର ରହିଥିବା ନେଇ ଅନୁମାନ କରାଯାଉଛି । ଚନ୍ଦ୍ରର ଏହି ଅଂଶ ଅନ୍ଧକାର ମଧ୍ୟରେ ରହିଥାଏ । ଏଠାରେ ରହିଥିବା ଜଳ ଗୁରୁତ୍ୱପୂର୍ଣ୍ଣ । କାରଣ ଏହାକୁ ପାନୀୟ ଜଳ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ଭଳି ରକେଟ ଇନ୍ଧନ ଭଳି ଉତ୍ସରେ ପରିଣତ କରାଯାଇପାରିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details