ହାଇଦ୍ରାବାଦ:ଭାରତର ମୁନ ମିଶନ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଛି । ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ପ୍ରଥମ ଦେଶ ହୋଇଛି ଭାରତ । ଏହାରି ଭିତରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ନିଜର କାର୍ଯ୍ୟ ଶେଷ କରି ସ୍ଲିପମୋଡକୁ ଚାଲିଯାଇଥିବା ବେଳେ ଆଜି ମୁନ ମିଶନ ଆରମ୍ଭ କରିଛି ଜାପାନ । ଆଜି(ଗୁରୁବାର)ସ୍ଲିମ ଲ୍ୟାଣ୍ଡରକୁ ଉତକ୍ଷେପଣ କରିଛି ଜାପାନ । H-IIA ରକେଟ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯାଇଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିବା ବେଳେ ବୈଶିକ ଅନ୍ତରୀକ୍ଷ ସମୁଦାୟ ପାଇଁ ଗର୍ବର ବିଷୟ ବୋଲି କୁହାଯାଇଛି ।
କହିରଖୁଛୁ କି, ଭାରତ ଜୁଲାଇ14 ତାରିଖରେ ଚନ୍ଦ୍ରଯାନ-3 ସାଟେଲାଇଟକୁ ଉତକ୍ଷେପଣ କରିଥିବା ବେଳେ ଏହା ପଛେପଛେ ଋଷ ଲୁନା 25କୁ ଲଞ୍ଚ କରିଥିଲା । ଲ୍ୟାଣ୍ଡିର 24 ଘଣ୍ଟା ପୂର୍ବରୁ ଅର୍ଥାତ ଅଗଷ୍ଟ 20 ତାରିଖରେ ଲୁନା 25 ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ରାସ ହୋଇଯାଇଥିଲା ।
ତେବେ ଜାପାନର ମୁନ ମିଶନ ସ୍ଲିମରୁ ଉତକ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଜାପାନର ସ୍ପେସ୍ ଏଜେନ୍ସି ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ ଏଜେନ୍ସିକୁ ଅଭିନନ୍ଦନ ଜଣାଇଛି । ଏକ୍ସରେ ଟ୍ବିଟ କରି ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "ଜାପାନର ମୁନ ମିଶନ ସ୍ଲିମର ଉତକ୍ଷେପ ପାଇଁ ହାର୍ଦ୍ଦିକ ଅଭିନନ୍ଦନ । ବିଶ୍ୱ ସ୍ପେସ୍ ସମ୍ପ୍ରଦାୟ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଆମେ ସମଗ୍ର ସ୍ପେସ୍ କମ୍ୟୁନିଟିକୁ ଅଭିନନ୍ଦନ ଜଣାଉଛୁ ।"