ହାଇଦ୍ରାବାଦ:ସଫଳତା ଦିଗରେ ବଢିଚାଲିଛି ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L1 । ଗୁରୁବାର ବିଳମ୍ବିତ ରାତିରେ ସଫଳତାର ସହ ପୃଥିବୀର ଚତୁର୍ଥ କକ୍ଷପଥ ଅତିକ୍ରମ କରିଛି ସୌର ଅଭିଯାନ ଆଦିତ୍ୟ ଏଲ1 । ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଚତୁର୍ଥ କକ୍ଷପଥ ସମାପ୍ତ କରି ପଞ୍ଚମ କକ୍ଷପଥରେ ପ୍ରବେଶ କରିଲା ଆଦିତ୍ୟ ଏଲ1 ।
ତେବେ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି ଯେ,"ଆଦିତ୍ୟ ଏଲ1ର ଚତୁର୍ଥ ଅର୍ଥ ବାଉଣ୍ଡ ମନ୍ୟୁବର(EBN#4) ସଫଳ ହୋଇଛି । ଏହି ଅଭିଯାନକୁ ମରିସସ୍, ବେଙ୍ଗାଲୁରୁ, ଏସଡିଏସସି-ଶାର୍(ଶ୍ରୀହରିକୋଟା) ଏବଂ ପୋର୍ଟ ବ୍ଲେୟରରେ ଥିବା ଗ୍ରାଉଣ୍ଡ ଷ୍ଟେସନ ସାଟେଲାଇଟକୁ ଟ୍ରାକ କରାଯାଇଥିଲା । ଚତୁର୍ଥ କକ୍ଷପଥ ଅତିକ୍ରମ କରିବା ପରେ ଆଦିତ୍ୟ L1 ବର୍ତ୍ତମାନ 256 km x 121973 କିଲୋମିଟର ପରିବର୍ଦ୍ଧିତ କକ୍ଷପଥରେ ରହି ପରିକ୍ରମା କରିବ । ପରବର୍ତ୍ତୀ ମନ୍ୟୁବର୍ ଟ୍ରାନ୍ସ-ଲାଗ୍ରାଞ୍ଜିଆନ ପଏଣ୍ଟ ଇନ୍ସର୍ସନ୍ (TL1I) ସେପ୍ଟେମ୍ବର ୧୯ ତାରିଖ ଭୋର ୨ ଟାରେ କରାଯିବ।"
ଏହା ମଧ୍ୟ ପଢନ୍ତୁ: Solar Mission: ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ L1
ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିବାକୁ 110 ଦିନ:ଆଦିତ୍ୟ L-1 ମହାକାଶଯାନର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଅର୍ଥ ବାଉଣ୍ଡ ମନ୍ୟୁବର ବା କକ୍ଷ ପରିବର୍ତ୍ତନ ଯଥାକ୍ରମେ 3, 5 ଏବଂ 10 ସେପ୍ଟେମ୍ବରରେ ସଫଳତାର ସହିତ ସମାପ୍ତ ହୋଇଛି । ଆଦିତ୍ୟ ଏଲ1 16 ଦିନ ପୃଥିବୀ ଚାରିପଟେ ଘୁରିବ । ଏହି ମନିଭର୍ ସମୟରେ ପରବର୍ତ୍ତୀ ଯାତ୍ରା ପାଇଁ ଆବଶ୍ୟକୀୟ ଗତି ହାସଲ କରିବ । ପଞ୍ଚମ କକ୍ଷ ପରିବର୍ତ୍ତନ କରିବା ପରେ ଆଦିତ୍ୟ ଏଲ1କୁ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିବାକୁ 110 ଦିନ ସମୟ ଲାଗିବ । ମହାକାଶଯାନ ମାଧ୍ୟମରେ ସୂର୍ଯ୍ୟଙ୍କ ଗତିବିଧି ଉପରେ ନଜର ରଖାଯିବାରେ ସାହାଯ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହାସହ ଆଦିତ୍ୟ L-1 ସହିତ ଅନେକ ପ୍ରକାରର ଉପକରଣ ପଠାଯାଇଛି, ଯାହା ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରାଯିବ ବୋଲି କୁହାଯାଇଛି ।
କହିରଖୁଛି କି, ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ 11ଟା 50 ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ L1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଶତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ପୋଲାର ସାଟେଲାଇଟ ଲଞ୍ଚ ଭେହିକିଲ(PSLV-C57) ରକେଟ୍ ସହୟତାରେ ଏହାକୁ ପ୍ରକ୍ଷେପଣ କରାଯାଇଥିଲା । ତେବେ ବର୍ତ୍ତମାନ ଚତୁର୍ଥ କକ୍ଷପଥ ସମାପ୍ତ କରି ପଞ୍ଚମ କକ୍ଷ ପଥରେ ପ୍ରବେଶ କରିଛି ଆଦିତ୍ୟ L1। ଏହି ପ୍ରକ୍ରିୟା ଶେଷ ହେବା ପରେ ସିଧା L1ପଏଣ୍ଟ ଆଡକୁ ଗତି କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। L1 କକ୍ଷପଥରୁ ସୂର୍ଯ୍ୟଙ୍କ ବାହ୍ୟସ୍ତର (କରୋନା) ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ