ହାଇଦ୍ରାବାଦ:ଆଜି ଚନ୍ଦ୍ରପୃଷ୍ଠରେ ପଡ଼ିବ ସୂର୍ଯ୍ୟାଲୋକ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସ୍ଲିପମୋଡ୍ରେ ରହିଥିବା ବେଳେ ଆଜିର କାର୍ଯ୍ୟକୁ ନେଇ ସମସ୍ତଙ୍କ ନଜର । ଯଦି ଦୁହେଁ ସକ୍ରିୟ ହୁଅନ୍ତି ତେବେ ଭାରତ ଏହି ସଫଳତା ହାସଲ କରିବାରେ ବିଶ୍ୱର ପ୍ରଥମ ଦେଶ ହେବ । ଜୁଲାଇ 14ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିବା ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଅଗଷ୍ଟ 23 ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ତେବେ ପୁର୍ନବାର ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନକୁ ଆକ୍ଟିଭ କରାଇ ପାରିବ କି ଇସ୍ରୋ ? ଏନେଇ ସମସ୍ତଙ୍କର ନଜର ରହିଥିବା ବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଜି ମାଧବନ ନାୟାର ଏହି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ANIକୁ ନିଜ ମତ ନେଇ ମାଧବନ କହିଛନ୍ତି, "ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ପ୍ରାୟ ଦୁଇ ସପ୍ତାହ ଧରି ଗଭୀର ନିଦରେ ଅଛନ୍ତି ଅର୍ଥାତ ସ୍ଲିପମୋଡରେ ରହିଛନ୍ତି। ତେବେ ବର୍ତ୍ତମାନ ଫ୍ରିଜକୁ କିଛି ବାହାର କରି ପୁନଃ ବ୍ୟବାହର କରିବା ଭଳି କାର୍ଯ୍ୟ ଅଟେ । ସେଠାରେ ବର୍ତ୍ତମାନ ତାପମାତ୍ରା -150 ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଥିବ । ଉକ୍ତ ତାପମାତ୍ରାରେ ବ୍ୟାଟେରୀ, ଇଲେକ୍ଟ୍ରୋନିକ୍ସ ଏବଂ ସିଷ୍ଟମ କିପରି ଠିକ୍ ରହିଥିବ ତାହା ବର୍ତ୍ତମାନ ଚିନ୍ତାର ବିଷୟ ଅଟେ ।"
ଯଦି ଏଭଳି ହେବ ତାହେଲେ ସିଷ୍ଟମ ଚାଲୁ ହୋଇପାରିବ: ପୂର୍ବତନ ISRO ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି,"ଅବଶ୍ୟ ଏପରି ପରିସ୍ଥିତିରେ ମଧ୍ୟ ଏହା କାର୍ଯ୍ୟ କରିବ ବୋଲି ସ୍ଥିର କରିବା ପାଇଁ ଭୂମିରେ ଯଥେଷ୍ଟ ପରୀକ୍ଷଣ କରାଯାଇଛି । ତଥାପି ଆମକୁ ଆଙ୍ଗୁଠି ବଙ୍କା କରି ରଖିବାକୁ ହେବ । ସୋଲାର ତାପମାତ୍ରା ଡିଭାଇସ୍ ଏବଂ ଚାର୍ଜର ବ୍ୟାଟେରୀକୁ ମଧ୍ୟ ଅଧିକ ଗରମ ବା ଉତ୍ତପ୍ତ କରିପାରିବ । ଯଦି ଏହି ଦୁଇଟି ଜିନିଷ ସଫଳତାର ସହିତ ସମାପ୍ତ ହୁଏ ତେବେ ସିଷ୍ଟମ୍ ପୁନଃ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି । ଯଦି ଥରେ ଏହା କାର୍ଯ୍ୟକ୍ଷମ ହୋଇଯାଏ, ତାହେଲେ ଆସନ୍ତା 14 ଦିନ ପର୍ଯ୍ୟନ୍ତ ଆମେ ଅଧିକ ଦୂର ଯାତ୍ରା କରିପାରିବା ଏବଂ ଦକ୍ଷିଣ ମେରୁରେ ଅଧିକ ତଥ୍ୟ ସଂଗ୍ରହ କରିପାରିବା ।"