ହାଇଦ୍ରାବାଦ:ବିଦାୟୀ ବର୍ଷ 2023ରେ ଅନେକ ଐତିହାସିକ ସଫଳତା ହାତେଇଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ତେବେ 2023ରେ ଦେଖାଯାଇଥିବା ଜଲଓ୍ବା 2024ରେ ମଧ୍ୟ ଜାରି ରହିବ । ବର୍ଷ ଆରମ୍ଭରୁ ହିଁ ଏକ୍ସରେ ପୋଲାରିମିଟର ସାଟେଲାଇଟକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଲଞ୍ଚ କରିଥିଲା ଇସ୍ରୋ । ମହାକାଶର ରହସ୍ୟ ଭେଦିବା ପାଇଁ ଚଳିତ ବର୍ଷ ଇସ୍ରୋର ଅନେକ ଯୋଜନା ରହିଥିବା ବେଳେ 12 ମାସରେ 12 ମିଶନ ଆମର ଲକ୍ଷ୍ୟ କହିଥିଲେ ସୋମନାଥ । ଏହାରି ଭିତରେ INSAT-3DS ସାଟେଲାଇଟ ଲଞ୍ଚ କରିବାକୁ ଅଣ୍ଟା ଭିଡିଛି ଭାରତୀୟ ମହାକାଶ ପ୍ରତିଷ୍ଠାନ ସଂସ୍ଥା ।
ଏହାକୁ ଅତ୍ୟାଧୁନିକ ରକେଟ ଜିଓସିଙ୍କ୍ରୋନସ୍ ଲଞ୍ଚ ଭେଇକଲ(GSLV-F14)ରେ ଉତକ୍ଷେପଣ କରାଯିବ । ଏହି ସାଟେଲାଇଟକୁ ଫେବୃଆରୀ ପ୍ରଥମ ସପ୍ତାହରେ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 2024ରେ ଇସ୍ରୋ ଏକ ସଫଳତା ପାଇଥିବା ବେଳେ ଦ୍ବିତୀୟ ମିଶନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ସାଟେଲାଇଟ ଲଞ୍ଚକୁ ନେଇ ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "INSAT-3DS ସାଟେଲାଇଟକୁ ଜାନୁଆରୀରରେ ଲଞ୍ଚ କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଏହାକୁ ବର୍ତ୍ତମାନ ଫେବୃଆରୀରେ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ସାଟେଲାଇକୁ ଲଞ୍ଚ ଭେହିକଲ ସହିତ ଯୋଡାଯାଉଛି । ତେଣୁ ଏହାକୁ ଫେବୃଆରୀକୁ ଘୁଞ୍ଚାଯାଇଛି । ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଏହାକୁ ଲଞ୍ଚ କରାଯିବା ନେଇ ଲକ୍ଷ୍ୟ ରଖିଛି ଇସ୍ରୋ ଟିମ ।"