ହାଇଦ୍ରାବାଦ:ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଅତିକ୍ରମ କରି ସଫଳତା ଦିଗରେ ଆଗେଇ ଚାଲିଛି ଚନ୍ଦ୍ରଯାନ-3 । ଗତ 5 ତାରଖ ସନ୍ଧ୍ୟାରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିବା ବେଳେ ଏବେ ସମସ୍ତଙ୍କର ଅପେକ୍ଷା ରହିଛି ସଫ୍ଟ ଲ୍ୟାଣ୍ଡିଂ । ଐତିହାସିକ ମୁହୂର୍ତ୍ତର ଆଉ ପାଦେ ନିକଟତର ହୋଇଛି ଇସ୍ରୋ । ସଫ୍ଟ ଲ୍ୟାଣ୍ଡିଂକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିବା ବେଳେ ଏନେଇ ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ମୁଖ୍ୟ ଏସ ସୋମନାଥ ସୂଚନା ଦେଇଛନ୍ତି । ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-3 ର ଲ୍ୟାଣ୍ଡର ବିକ୍ରମ ଅଗଷ୍ଟ ମାସରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ସେ କହିଛନ୍ତି । ଇଞ୍ଜିନ କାମ ନକରିଲେ ମଧ୍ୟ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସେ ଇସ୍ରୋ ମୁଖ୍ୟ ଦାବି କରି କହିଛନ୍ତି ।
ସୂଚନା ଅନୁସାରେ, ନିକଟରେ ଏନଜିଓ ଦିଶା ଭାରତ ଦ୍ବାରା ଚନ୍ଦ୍ରଯାନ-3 ଭାରତର ଗୌରବ ଅନ୍ତରୀକ୍ଷ ମିଶନ ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଇସ୍ରୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ,"ସମସ୍ତ ସେନ୍ସର ଏବଂ ଦୁଇଟି ଇଞ୍ଜିନ କାମ କରିବାରେ ବିଫଳ ହେଲେ ମଧ୍ୟ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବ ।" ସେ ଆହୁରି ମଧ୍ୟ କହିଛନ୍ତି, " ISRO ଟିମର ସବୁଠାରୁ ବଡ ଆହ୍ବାନ ହେଉଛି ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ଭୂଲମ୍ବ ଭାବରେ ଅବତରଣ କରିବା । ଥରେ ଲ୍ୟାଣ୍ଡର୍ କକ୍ଷପଥରୁ ଅଲଗା ହୋଇଗଲେ ଏହା ଭୂସମାନ୍ତର ଭାବରେ ଗତି କରିବ । ଅନେକ ମନିଭର୍ ପରେ ବିକ୍ରମଙ୍କୁ ଚନ୍ଦ୍ରରେ ସୁରକ୍ଷିତ ଅବତରଣ କରିବା ପାଇଁ ଏକ ଭୂଲମ୍ବ ସ୍ଥିତିକୁ ଅଣାଯିବ । ଯେକୌଣସି ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା କରୁଛୁ ।"
ସଫ୍ଟ ଲ୍ୟାଣ୍ଡିଂ ନେଇ କାହିଁକି ଦୃଢତା ଦେଖାଉଛନ୍ତି ଇସ୍ରୋ ମୁ୍ଖ୍ୟ:
କହିରଖୁଛୁ କି, 2 ଜୁଲାଇ 2019ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ବାରା ଚନ୍ଦ୍ରୟାନ-୨ ମିଶନ ଆରମ୍ଭ କରାଯାଇଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ-ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାଡାରରୁ ବିଚ୍ଛିନ୍ନ ହୋଇଥିଲା । ଏନେଇ ଇସ୍ରୋ ମୁଖ୍ୟ କହିଛନ୍ତି," ଆମେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲୁ । କିନ୍ତୁ ଚନ୍ଦ୍ରଯାନ-3ରେ ସେଭଳି କିଛି ହେବ ନାହିଁ । ବିଫଳତାକୁ ନିୟନ୍ତ୍ରଣ କରିପାରିବ ବୋଲି ଲ୍ୟାଣ୍ଡର 'ବିକ୍ରମ'ର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଯଦି ସବୁ ବିଫଳ ହୋଇଯାଏ ଅର୍ଥାତ ସମସ୍ତ ସେନ୍ସର କାମ କରିବା ବନ୍ଦ କରିଦିଏ, ତଥାପି ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । କେବଳ ପ୍ରମ୍ପୁଲିଜନ ସିଷ୍ଟମ୍ ଭଲ କାମ କରିବା ଆବଶ୍ୟକ ।"
ମିଶନ ଚନ୍ଦ୍ରୟାନ-3 14 ଜୁଲାଇରୁ ଆରମ୍ଭ ହୋଇଥିଲା ଏବଂ ମହାକାଶକୁ ଛଡାଯିବା ପରେ ଏହା 5 ଅଗଷ୍ଟରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା । ଚନ୍ଦ୍ରଯାନ ବର୍ତ୍ତମାନ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି । ଆଜି ପୁଣି ଏହାର କକ୍ଷପଥକୁ ଆହୁରି ହ୍ରାସ କରାଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ଚନ୍ଦ୍ର ଚାରିପଟେ ଅଣ୍ଡାକୃତି କକ୍ଷପଥରେ ଘୁରୁଛି ଚନ୍ଦ୍ରଯାନ-3 । ଚନ୍ଦ୍ରପୃଷ୍ଠରୁ ଏହାର ସର୍ବନିମ୍ନ ଦୂରତା 170 କିଲୋମିଟର ଏବଂ ସର୍ବୋଚ୍ଚ ଦୂରତା 4313 କିଲୋମିଟର ରହିଛି । ଆଜି ଆହୁରି କକ୍ଷପଥକୁ ହ୍ରାସ କରାଯିବା ନେଇ ସୂଚନା ଦିଆଯାଇଛି । ଚନ୍ଦ୍ରର ନିକଟତର କରିବା ପାଇଁ ଏହା କରାଯିବ ଏବଂ ଅଗଷ୍ଟ 23 ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ସେଥିରୁ ରୋଭର ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ 14 ଦିନ ବିଚରଣ କରିବ ବୋଲି ଇସ୍ରୋ ଯୋଜନା କରିଛି ।