ହାଇଦ୍ରାବାଦ: ବର୍ତ୍ତମାନର ପାଶ୍ଚାତ୍ୟ ଜୀବନଶୈଳୀ, ଯୋଗାଯୋଗ ମାଧ୍ୟମର ଦ୍ରୁତ ଅଭିବୃଦ୍ଧି ସମୟରେ ମିଥ୍ୟା ଖବର(ଫେକ୍ ନ୍ୟୁଜ୍) ବା ଭୁଲ୍ ତଥ୍ୟଠାରୁ କ୍ଷତିକାରକ ଆଉ କିଛି ହୋଇନପାରେ । ଇଣ୍ଟରନେଟର ଆବିଷ୍କାର ପରଠାରୁ ସୂଚନା ପ୍ରେରଣର ମାଧ୍ୟମର ଏତେ ବୃଦ୍ଧି ଘଟିଛି ଯେ, ଖବର ପବନର ବେଗ ଭଳି ମାଡିଯାଉଛି । ଏହି ସମୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି, ସତ୍ୟ ବା ତଥ୍ୟପୂର୍ଣ୍ଣ ସୂଚନା ପ୍ରସାରଣ କରିବା ।
କାହିଁକିନା ବେଳେବେଳେ ମିଥ୍ୟା ସୂଚନା ସମାଜିକ ସ୍ତରରେ କୁପ୍ରଭାବ ପକାଇପାରେ । ଏହାକୁ ଦୃଷ୍ଟିରେ ରଖି ଫ୍ୟାକ୍ଟ(ତଥ୍ୟପୂର୍ଣ୍ଣ) ସୂଚନା ପ୍ରେରଣକୁ ପ୍ରୋତ୍ସାହିତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜି(ଅପ୍ରେଲ 2)କୁ ଇଣ୍ଟରନ୍ୟାସନାର୍ ଫ୍ୟାକ୍ଟ-ଚେକିଂ ଡେ' ବା ଅନ୍ତର୍ଜାତୀୟ ତଥ୍ୟ-ପରୀକ୍ଷଣ ଦିବସ ଭାବେ ପାଳନ କରାଯାଉଛି । ଲୋକଙ୍କ ନିକଟରେ ସଠିକ୍ ସୂଚନା ପହଞ୍ଚାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଇଣ୍ଟରନ୍ୟାସନାଲ ଫ୍ୟାକ୍ଟ-ଚେକିଂ ନେଟୱାର୍କ(IFCN) ବିଶ୍ବର ଫ୍ୟାକ୍ଟ-ଚେକିଂ ସଂସ୍ଥା ସହଭାଗିତାରେ ଅନ୍ତର୍ଜାତୀୟ ଫ୍ୟାକ୍ଟ-ଚେକିଂ ଦିବସକୁ ପ୍ରୋତ୍ସାହିତ କରିଛି । IFCN ବିଶ୍ବାସ କରେ ଯେ, ବୃତ୍ତିଗତ ତଥ୍ୟ ଯାଞ୍ଚକାରୀମାନେ କେବଳ ମିଥ୍ୟା ତଥ୍ୟକୁ ଖଣ୍ଡନ କରିବେ ତାହା ନୁହେଁ, ପ୍ରତିଟି ବ୍ୟକ୍ତିଙ୍କୁ ଏଥିପାଇଁ ସଚେତନ ହେବାର ଆବଶ୍ୟକତା ରହିଛି । ପ୍ରଥମେ ଫ୍ୟାକ୍ଟ ଚେକିଂ(FactCheckingisEssential) କାର୍ଯ୍ୟପନ୍ଥା ଉପରେ ବିଶ୍ବାସ କରେ IFCN ।
ସେଇଥିପାଇଁ IFCN ସମଗ୍ର ବିଶ୍ୱରୁ ଫ୍ୟାକ୍ଟ-ଚେକର୍ମାନଙ୍କୁ ଏକତ୍ରିତ କରି ଋଷ୍-ୟୁକ୍ରେନ ଯୁଦ୍ଧ ସମୟରେ ସଠିକ୍ ଖବର ପ୍ରେରଣ ଉପରେ ଗୁରୁତ୍ବାରୋପ କରିଥିଲା । ଏହି ପଦକ୍ଷେପ ଦ୍ବାରା #UkraineFacts ଅଭିଯାନ ମାଧ୍ୟମରେ ବିଭ୍ରାନ୍ତିକର ଖବର ଉପରେ ରୋକ୍ ଲଗାଯାଇ ପାରିଥିଲା । IFCN କହିବା ଅନୁସାରେ ଯୁଦ୍ଧର ପ୍ରଥମ ମାସରେ ପ୍ରାୟ 1000 ରୁ ଅଧିକ ବିଭ୍ରାନ୍ତିକର ଖବରର ଫ୍ୟାକ୍ଟ-ଚେକ୍ କରାଯାଇଥିଲା । ଯୁଦ୍ଧ ସମୟରେ ଏହି ପ୍ରୟାସ #CoronaVirusFacts ର ସଫଳତାକୁ ଅନୁସରଣ କରିଥିଲା ।