ହାଇଦ୍ରାବାଦ:ଯକ୍ଷ୍ମା ଚିକିତ୍ସାରେ ଆସିବ କ୍ରାନ୍ତିକାରୀ ପରିବର୍ତ୍ତନ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ(IISC)ର ବୈଜ୍ଞାନିକମାନେ ଯକ୍ଷ୍ମା ଚିକିତ୍ସାରେ ଏକ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର କରିଛନ୍ତି । ଦୀର୍ଘ ସମୟ ଧରି ଶରୀରରେ ଏମଟିବି (ମାଇକୋବ୍ୟାକ୍ଟେରିୟମ ଟୁବରକ୍ୟୁଲୋସିସ) ବ୍ୟାକ୍ଟେରିଆ କିଭଳି ରହିଥାଏ, ତାହା ଜାଣିବା ପାଇଁ ଆଇଆଇଏସସିର ମାଇକ୍ରୋବାୟୋଲୋଜି ଆଣ୍ଡ ସେଲ ବାୟୋଲୋଜିର ବୈଜ୍ଞାନିକମାନେ ଏନେଇ ଗବେଷଣା ଆରମ୍ଭ କରିଥିଲେ । ତେବେ ଏହି ସମୟରେ ବୈଜ୍ଞାନିକମାନେ ଏକ ଜିନ ଚିହ୍ନଟ କରିଛନ୍ତି । ଏହି ଜିନ ହିଁ ଯକ୍ଷ୍ମା ବ୍ୟାକ୍ଟେରିଆକୁ ଶରୀରରେ ତିଷ୍ଠି ରହିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଅଧ୍ୟୟନଟି ସାଇନ୍ସ ଆଡଭାସେନ୍ସରେ ପ୍ରକାଶିତ ହୋଇଛି ।
ଆଇଆଇଏସସିର ମାଇକ୍ରୋବାୟୋଲୋଜି ଆଣ୍ଡ ସେଲ ବାୟୋଲୋଜିର ଆସୋସିଏଡ ପ୍ରଫେସର ଅମିତ ସିଂହଙ୍କ ନେତୃତ୍ବରେ ଏହି ଗବେଷଣା ଆରମ୍ଭ ହୋଇଥିବା ବେଳେ ଗବେଷକମାନେ ଆଇଆଇଏସସିର ସେଣ୍ଟର ଫର ଅନଫେକ୍ସିୟସ ଡିଜିଜ ରିସର୍ଚ୍ଚରେ ଥିବା ବାୟୋ ସେଫଲି ଲେବଲ-3 କେନ୍ଦ୍ରରେ ଏମଟିବି ଉପରେ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନରେ ଆସୋସିଏଟ ପ୍ରଫେସରଙ୍କ ସହିତ ପିଏଚଡି ଛାତ୍ର ସାମିଲ ହୋଇଥିଲେ । ବୈଜ୍ଞାନିକଙ୍କ କହିବା ଅନୁସାରେ, ଏମଟିବିକୁ ପ୍ରତିହତ କରିବାର କ୍ଷମତା ଶରୀରର ପ୍ରତିରକ୍ଷା ପ୍ରଣାଳୀରେ ରହିଥାଏ । କିନ୍ତୁ କେତେକ କ୍ଷେତ୍ରରେ ଏହି ବ୍ୟାକ୍ଟେରିଆ ଫୁସଫୁସର ଏକ ଅଂଶରେ ଲୁଚି ରହିଯାଇଥାଏ । ସେହି ସ୍ଥାନକୁ କମ୍ ଅମ୍ଳଜାନ ପହଞ୍ଚୁଥିବା ବେଳେ ସେଠାରେ ରହି ତିଷ୍ଠିବାର ମାର୍ଗ ବିକଶିତ କରିଥାଆନ୍ତି । ସେହି ସ୍ଥାନକୁ ପ୍ରତିରକ୍ଷା ପ୍ରଣାଳୀ କିମ୍ବା ଯକ୍ଷ୍ମା ଔଷଧ ପହଞ୍ଚିପାରେ ନାହିଁ ।