ହାଇଦ୍ରାବାଦ: ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏହାର ପରବର୍ତ୍ତି ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ 2040 ସୁଦ୍ଧା ଭାରତୀୟ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଛି ଭାରତ । ଏନେଇ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି। ସେ କହିଛନ୍ତି, "ଏହି ମିଶନ ପାଇଁ ଭାରତୀୟ ବାୟୁସେନାର 4ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ମନୋନିତ କରାଯାଇଛି । ଚନ୍ଦ୍ରଯାନ-3ର ସଫଳତା ପରେ ପ୍ରଥମ ଥର ପାଇଁ ମାନବକୁ ଚନ୍ଦ୍ରକୁ ପଠାଇବାର ଯୋଜନା ଉପରେ ଟିମ୍ ସମ୍ପୁର୍ଣ୍ଣ ଉତ୍ସାହର ସହିତ କାର୍ଯ୍ୟ କରୁଛି ।
ଇସ୍ରୋ ଅଧ୍ୟକ୍ଷ ସୋମନାଥ ଆହୁରି ମଧ୍ୟ କହିଛନ୍ତି, "2025 ମସିହାରେ ପ୍ରସ୍ତାବିତ ଗଗନାନ କାର୍ଯ୍ୟକ୍ରମ ମାଧ୍ୟମରେ ମହାକାଶରେ ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି । ଏଥିରେ 2ରୁ 3ଜଣ ଭାରତୀୟଙ୍କୁ 3 ଦିନ ପାଇଁ ପୃଥିବୀର ନିମ୍ନ ପରିକ୍ରମା ପଥ(ଲିଓ)କୁ ପଠାଯାଇ ସେମାନଙ୍କୁ ପୁଣି ନିରାପଦରେ ଫେରାଇ ଅଣାଯିବ । ବର୍ତ୍ତମାନ ମହାକାଶଚାରୀଙ୍କୁ ବେଙ୍ଗାଲୁରୁ ସ୍ଥିତ ଅନ୍ତରୀକ୍ଷ ଯାତ୍ରୀ ପ୍ରଶିକ୍ଷଣ କେନ୍ଦ୍ର(ଏଟିଏଫ)ରେ ତାଲିମ ଦିଆଯାଉଛି । ମିଶନ ପୂର୍ବରୁ ଦୁଇ ମାନବବିହୀନ ମିଶନ G1 ଏବଂ G2 ପଠାଯିବ। ଏହାସହିତ ଏୟାର ଡ୍ରପ ଟେଷ୍ଟ, ପ୍ୟାଡ ଅବାର୍ଟ ଟେଷ୍ଟ, ଟେଷ୍ଟ ଫ୍ଲାଇଟ୍ ମଧ୍ୟ କରାଯିବ ।"
ଗଗନ ଯାନ ମିଶନର ଟେଷ୍ଟ ଫ୍ଲାଇଟ TV D1 ଗତ ଅକ୍ଟୋବର 21 ତାରିଖରେ ପରୀକ୍ଷଣ କରାଯାଇଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚପ୍ୟାଡରୁ ମିଶନ ଗଗନାୟନ ପାଇଁ ପ୍ରଥମ ଫାଷ୍ଟ ଫ୍ଲାଇଟ ଟେଷ୍ଟ ଭେଇକିଲ TV-D1କୁ ଲଞ୍ଚ୍ କରାଯାଇଥିଲା । ମିଶନରେ ତ୍ରୁଟି ଦେଖାଗଲେ ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ କ୍ରୁ-ଏସ୍କେପ୍ ସିଷ୍ଟମ ପରୀକ୍ଷା ମଧ୍ୟ କରାଯାଇଥିଲା ।