ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ପ୍ରଗତି ମଇଦାନରେ ଭାରତ ମଣ୍ଡପମ୍ ଠାରେ ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦି ଶିକ୍ଷାନୁଷ୍ଠାନ ଗୁଡିକୁ 100ଟି 5G ୟୁଜ କେସ ଲ୍ୟାବ ପ୍ରଦାନ କରିଛନ୍ତି । ଭାରତୀୟ ମୋବାଇଲ କଂଗ୍ରେସ(IMC) ଏସିଆର ସର୍ବବୃହତ ଦୂରସଞ୍ଚାର, ଗଣମାଧ୍ୟମ ଓ ପ୍ରଯୁକ୍ତି ମଞ୍ଚ ହୋଇଥିବା ବେଳେ ଏହି ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଶିକ୍ଷାନୁଷ୍ଠାନକୁ 100ଟି 5G ୟୁଜ କେସ ଲ୍ୟାବ ପ୍ରଦାନ କଲେ ମୋଦି: ଆଜି ମୋଦି ଶିକ୍ଷାନୁଷ୍ଠାନକୁ 100ଟି 5G ୟୁଜ କେସ ଲ୍ୟାବ ପ୍ରଦାନ କରିଛନ୍ତି । ଏହି ଲ୍ୟାବ ଦ୍ବାରା ଡ୍ରୋନ, 5G ଏବଂ 6G ଟେକ୍ନୋଲୋଜିର ବିକାଶରେ ସାହାଯ୍ୟ କରିବ । ଏହି ଲ୍ୟାବ ଜରିଆରେ ଆତ୍ମନିର୍ଭରଶୀଳ ଭାରତର ଅଗ୍ରଗତି ଆହୁରି ସୁଗମ ହେବା ସହିତ ଭାରତର ଡିଜିଟାଲ ଟ୍ରାନ୍ସଫରମେସନ ଆହୁରି ସହଜ ହେବ ।
ଭାରତୀୟ ମୋବାଇଲ କଂଗ୍ରେସରେ ଏହା କହିଲେ ମୋଦି: ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି,"ଯେତେବେଳେ ଆମେ ଭବିଷ୍ୟତ ବିଷୟରେ ଆଲୋଚନା କରୁଥିଲୁ, ସେତେବେଳେ ଆଗାମୀ ଦଶନ୍ଧି କିମ୍ବା ଆଗାମୀ ଶତାବ୍ଦୀ ବିଷୟରେ କଥାବାର୍ତ୍ତା କରୁଥିଲୁ । କିନ୍ତୁ ବର୍ତ୍ତମାନ ଟେକ୍ନୋଲୋଜିର ବିକାଶ ହୋଇଛି । ବର୍ତ୍ତମାନ ଆମର ସମସ୍ତ ଆଶା କିଛି ଦିନ ଭିତରେ ପୂରଣ ହୋଇପାରିବ । ଆଗାମୀ ସମୟ ସମ୍ପୂର୍ଣ୍ଣ ଭିନ୍ନ ରହିବ । ଦେଶର ଯୁବପିଢି ବୈଷୟିକ ଶିଳ୍ପକୁ ଆଗେଇ ନେଉଛନ୍ତି । ଯାହା ଆମ ପାଇଁ ଖୁସିର ବିଷୟ । ବିଶ୍ବ ଅପେକ୍ଷା ଦେଶରେ 5ଜି ଟେକ୍ନୋଲୋଜି ସବୁଠାରୁ ଶୀଘ୍ର ରୋଲଆଉଟ ହୋଇପାରିଛି ।"
ସେମିକଣ୍ଡକ୍ଟର ପାଇଁ ୮୦୦୦କୋଟି ଟଙ୍କାର PLI ଯୋଜନା ଆରମ୍ଭ: ଦେଶରେ ସେମିକଣ୍ଡକ୍ଟର ଚିପର ଚାହିଦାକୁ ପୂରଣ କରିବା ପାଇଁ ସରକାର ୮୦୦୦ କୋଟି ଟଙ୍କାର ନୂତନ ଉତ୍ପାଦନ-ଲିଙ୍କ୍ ପ୍ରୋତ୍ସାହନ(PLI) ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ବିଶ୍ବର କମ୍ପାନୀ ଗୁଡିକ ଭାରତୀୟ କମ୍ପାନୀ ସହଯୋଗରେ ସେମିକଣ୍ଡକ୍ଟର ଚିପ ପ୍ରସ୍ତୁତ କରୁଛନ୍ତି । ଭାରତ ନେଟ ବିଶ୍ବର 2 ଲକ୍ଷ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସହିତ ସଂଯୋଗ କରିବାରେ ସଫଳ ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ 75 ଲକ୍ଷ ଗରିବ ପିଲାଙ୍କୁ ଯୋଡା ଯାଇଛି ।