ନୂଆଦିଲ୍ଲୀ:ସ୍ପଷ୍ଟ ଓ ହାଇରିଜୋଲ୍ୟୁସନ ଅଲଟ୍ରାସାଉଣ୍ଡ ଫଟୋ ଉପରେ ଗୁରୁତ୍ବ ଦେଇ ନୂଆ ଟେକ୍ନୋଲୋଜି ଆଣିବାକୁ ଯାଉଛି IIT ମାଡ୍ରାସ । ରୋଗର ଉତ୍କୃଷ୍ଟ ଡାଇଗ୍ନୋସିସ, ନିର୍ଦ୍ଦିଷ୍ଟ ରୋଗକୁ ଚିହ୍ନିବାରେ ସହାୟକ ହେବ ଏହି ନୂତନ ଟେକ୍ନୋଲୋଜି । ସ୍ପଷ୍ଟ ଚିତ୍ର ଦ୍ବାରା ରୋଗକୁ ଚିହ୍ନିବାରେ ଡାକ୍ତରଙ୍କୁ ଆହୁରି ସହଜ ହେବ । ଆଭ୍ୟନ୍ତରୀଣ ଅଙ୍ଗରେ ଯନ୍ତ୍ରଣା, ଫୁଲା ଏବଂ ସଂକ୍ରମଣର କାରଣ ନିର୍ଣ୍ଣୟ କରିବା ଏବଂ ଗର୍ଭବତୀ ମହିଳାମାନଙ୍କ ଗର୍ଭସ୍ଥ ଶିଶୁର ପରୀକ୍ଷା କରିବା ପାଇଁ ଏହି କୌଶଳ ବହୁଳ ଭାବରେ ବ୍ୟବହୃତ ହୋଇଥାଏ ।
ଅଲଟ୍ରାସାଉଣ୍ଡ ଇମେଜିଙ୍ଗ କୌଶଳ ମାନବ ଶରୀର ଭିତରେ ରିଅଲ ଟାଇମ ଚିତ୍ର ଉତ୍ତୋଳନ ପାଇଁ ବ୍ୟବହୃତ ହୁଏ । ଚିକିତ୍ସାରେ ଏହାର ବିଭିନ୍ନ ପ୍ରକାରର କ୍ଲିନିକାଲ୍ ପ୍ରୟୋଗ ରହିଥାଏ । ଅଲଟ୍ରାସାଉଣ୍ଡ ମେସିନର ପ୍ରମୁଖ ଉପକରଣଟି ହେଉଛି "beamformer" । ଚୂଡ଼ାନ୍ତ ଫଟୋ ତିଆରି କରିବାରେ ଏହି ଉପକରଣଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗତ କିଛି ବର୍ଷ ଧରି ଅଲଟ୍ରାସାଉଣ୍ଡ ଇମେଜର କ୍ବାଲିଟିକୁ ବଢାଇବା ପାଇଁ ଉଦ୍ୟମ ଜାରି ରହିଥିଲା । beamformerରେ କିପରି ଫଟୋର କ୍ବାଲିଟିକୁ ବଢାଇଯାଇପାରିବ ତାହା ଉପରେ ଗବେଷଣା କରି ଏହି ନୂଆ ଟେକ୍ନୋଲୋଜିକୁ ଆଣିଛି ଆଇଆଇଟି ମାଡ୍ରାସ ।