ଥିରୁଅନନ୍ତପୁରମ୍: 'Rocketry: The Nambi Effect' ଚଳଚ୍ଚିତ୍ରରେ ତ୍ରୁଟି ଥିବା ଦର୍ଶାଇଲେ ପୂର୍ବତନ ISRO(Indian Space Research Organization) ବୈଜ୍ଞାନିକ ଦଳ । ପୂର୍ବତନ ISRO ବୈଜ୍ଞାନିକ ନାମ୍ବି ନାରାୟଣନଙ୍କ ଜୀବନୀ ଚଳଚ୍ଚିତ୍ର(Biographical Movie)ରେ ଅନେକ ତଥ୍ୟ ଭୁଲ୍ ଥିବା ଏବଂ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରାଯାଉଥିବା ପ୍ରଚାର ମିଥ୍ୟା ଏବଂ ସ୍ପେସ୍ ଏଜେନ୍ସିକୁ ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି । ଡ. ଏଇ ମୁଥୁନାୟାଗମ୍, ଡି ଶଶିକୁମାରନ୍ ଏବଂ ISRO ର ଅନ୍ୟ ବୈଜ୍ଞାନିକ ପ୍ରଫେସର ଇଭିଏସ୍ ନାମ୍ବୋଥରି ଏହି ଚଳଚ୍ଚିତ୍ରରେ ଦିଆଯାଇଥିବା ତଥ୍ୟକୁ ଖଣ୍ଡନ କରିଛନ୍ତି ।
ଅଭିନେତା ଆର ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ, ନିର୍ମିତ ଏବଂ ଲିଖିତ, ଜୀବନୀ ନାଟକ ଏରୋସ୍ପେସ୍ ଇଞ୍ଜିନିୟର ନାମ୍ବି ନାରାୟଣନଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ମାଧବନ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପୂର୍ବତନ ବୈଜ୍ଞାନିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ନାମ୍ବି ନାରାୟଣନ୍ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ISRO ଏବଂ ଅନ୍ୟ ବୈଜ୍ଞାନିକମାନଙ୍କୁ ବଦନାମ କରୁଥିବାରୁ ଆମେ ଜନସାଧାରଣଙ୍କୁ କିଛି ନିର୍ଦ୍ଦିଷ୍ଟ ବିଷୟ କହିବାକୁ ବାଧ୍ୟ ହେଉଛୁ । ସେ ଅନେକ ପ୍ରୋଜେକ୍ଟର ଜନକ ବୋଲି ତାଙ୍କର ଦାବି ମିଥ୍ୟା ଅଟେ ।" ଚଳଚ୍ଚିତ୍ରରେ ଦାବି କରିଛନ୍ତି ଯେ, ସେ ଥରେ ପୂର୍ବ ରାଷ୍ଟ୍ରପତି ସ୍ବର୍ଗତ ଏପିଜେ ଅବଦୁଲ କଲାମଙ୍କୁ ସଂଶୋଧନ କରିଥିଲେ, ଏହା ମଧ୍ୟ ମିଥ୍ୟା ବୋଲି ପୂର୍ବତନ ବୈଜ୍ଞାନିକମାନେ କହିଛନ୍ତି ।
ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଚଳଚ୍ଚିତ୍ରରେ ଦିଆଯାଇଥିବା ମିଥ୍ୟା ଦାବି ଉପରେ ନିଷ୍ପତ୍ତି ନେବାକୁ ସେମାନେ ବର୍ତ୍ତମାନର ISRO ଅଧ୍ୟକ୍ଷ ଏସ ସୋମନାଥଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି, ଚଳଚ୍ଚିତ୍ରରେ ନାରାୟଣନଙ୍କ ଦାବି ଯେ, ତାଙ୍କ ଗିରଫ ଭାରତରେ କ୍ରାୟୋଜେନିକ୍ ଟେକ୍ନୋଲୋଜି ହାସଲ କରିବାରେ ବିଳମ୍ବ କରିଥିଲା । ସେମାନେ କହିଛନ୍ତି ଯେ 1980 ଦଶକରେ ISRO କ୍ରାୟୋଜେନିକ୍ ଟେକ୍ନୋଲୋଜିର ବିକାଶ ଆରମ୍ଭ କରିଥିଲା ଏବଂ ଇଭିଏସ୍ ନାମ୍ବୋଥରି ଦାୟିତ୍ବରେ ଥିଲା । ମାତ୍ର ଏହି ପ୍ରୋଜେକ୍ଟ ସହ ନାରାୟଣନଙ୍କର କୌଣସି ସମ୍ପର୍କ ନଥିଲା ।