ହାଇଦ୍ରାବାଦ:ଆଉ ମାତ୍ର କିଛି ସମୟର ଅପେକ୍ଷା । ଆଜି 140 କୋଟି ଭାରତୀୟଙ୍କ ପାଇଁ ଆଉ ଏକ ଐତିହାସିକ ଦିନ । ଭାରତର ମୁନ ମିଶନ ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ ପରେ ଆଜି ସୂର୍ଯ୍ୟ ମିଶନ ଆଦିତ୍ୟ L1କୁ ଉତକ୍ଷେପଣ କରାଯିବ । ପିଏସ୍ଏଲଭି-ସି୫୭ ରକେଟ ଜରିଆରେ ଆଦିତ୍ୟ L1କୁ ମହାକାଶକୁ ପ୍ରକ୍ଷେପଣ କରାଯିବ । ସୂର୍ଯ୍ୟଙ୍କ ଉପରେ ସମସ୍ତ ତଥ୍ୟ ହାସଲ କରିବ ଆଦିତ୍ୟ ଏଲ1। ତେବେ ଏନେଇ‘ଇଟିଭି ଭାରତ’ ସହିତ ଅଧିକ ଆଲୋଚନା କରିଛନ୍ତି ଆଦିତ୍ୟ ଏଲ 1ର ପରିଯୋଜନା ନିର୍ଦ୍ଦେଶକ ନିଗାର ସାଜି । ଚନ୍ଦ୍ରଯାନ-3ରୁ ମିଳିଥିବା ପ୍ରେରଣା ଆମକୁ ଶକ୍ତି ଦେଇଛି ବୋଲି ସେ କହିଛନ୍ତି ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୂର୍ବାହ୍ନ ୧୧ଟା ୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍ଏଲଭି-ସି୫୭ ରକେଟ ଜରିଆରେ ଆଦିତ୍ୟ L1କୁ ମହାକାଶକୁ ପ୍ରକ୍ଷେପଣ କରାଯିବ । ଏହା ଭାରତର ପ୍ରଥମ ସୂର୍ଯ୍ୟମିଶନ ଅଟେ ।
ଚାଷୀ ପରିବାରରୁ ଇସ୍ରୋ ପ୍ରତିଷ୍ଠାନ: ଆଦିତ୍ୟ ଏଲ 1ର ପରିଯୋଜନା ନିର୍ଦ୍ଦେଶକ ନିଗାର ସାଜି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାମିଲନାଡୁର ତନକାସୀ ଜିଲ୍ଲାର ସେଙ୍ଗୋଟାଇ ସହରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଶେଖ ମେରାନ ସ୍ନାତ୍ତକ ପାଠ ପଢିଥିବା ବେଳେ ବୃତ୍ତିରେ ସେ ଜଣ କୃଷକ ଏବଂ ମାଆ ସୈତୁନ ବିବି ଜଣ ଗୃହିଣୀ । ବର୍ତ୍ତମାନ ଆଦିତ୍ୟ ଏଲ 1ର ପରିଯୋଜନା ନିର୍ଦ୍ଦେଶକ ରହିଥିବା ନିଗାର ସାଜି ଛୋଟ ସମୟରେ ସେଙ୍ଗୋଟାଇର SRM ବାଳିକା ବିଦ୍ୟାଳୟରେ ପାଠ ପଢିବା ପରେ ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟରେରେ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ଏହାପରେ ରାଞ୍ଚିର BITରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ ।
ତେବେ ଏନେଇ ନିଗାର କହିଛନ୍ତି, "ପାଠ ଶେଷ ହେବା ପରେ ଇସ୍ରୋର ଚାକିରି ବାହାରିଥିବା ନେଇ ମୁଁ ଜାଣିବାକୁ ପାଇଥିଲି । ଏହାପରେ ମୁଁ ବିଳମ୍ବ ନକରି ଆବେଦନ କରିଥିଲି ।" ତାଙ୍କର ସ୍ବାମୀ ଦୁବାଇରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର 2 ଛୁଆ ରହିଛନ୍ତି । ପୁଅ ଫ୍ଲୁଏଡ ମେକାନିକରେ ଡକ୍ଟରେଟ ହାସଲ କରିବା ପରେ ନେଦରଲ୍ୟାଣ୍ଡର କାର୍ଯ୍ୟ କରୁଥିବା ବେଳେ କନ୍ୟା ଡାକ୍ତରୀ ପାଠ ପଢୁଥିବା ସେ କହିଛନ୍ତି ।