ଓଡିଶା

odisha

ETV Bharat / science-and-technology

ଟ୍ବିଟର ଇଣ୍ଡିଆର 2ଟି କାର୍ଯ୍ୟାଳୟ ବନ୍ଦ, ଘରୁ କାମ କରିବେ କର୍ମଚାରୀ - ଟ୍ବିଟର ଅପଡେଟ୍ ନ୍ୟୁଜ

ଟ୍ବିଟର ଇଣ୍ଡିଆର 3ଟି କାର୍ଯ୍ୟାଳୟ ମଧ୍ୟରୁ ଦୁଇଟି କାର୍ଯ୍ୟାଳୟକୁ ବନ୍ଦ କଲେ ଏଲନ ମସ୍କ, କର୍ମଚାରୀଙ୍କୁ କହିଲେ ଘରୁ କାମ କର । ଅଧିକ ପଢନ୍ତୁ

Elon Musk
Elon Musk

By

Published : Feb 17, 2023, 4:57 PM IST

ନୂଆଦିଲ୍ଲୀ: ଟ୍ୱିଟରକୁ ନିଜ ଅଧୀନକୁ ନେବା ପରଠାରୁ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି ଅରବପତି ଏଲନ ମସ୍କ । ଏହି କ୍ରମରେ ଆଜି(ଫେବ୍ରୁଆରୀ 17)ରେ ଟ୍ବିଟର ଇଣ୍ଡିଆର 3ଟି କାର୍ଯ୍ୟାଳୟ ମଧ୍ୟରୁ ଦୁଇଟି କାର୍ଯ୍ୟାଳୟକୁ ବନ୍ଦ କରି ଦେଇଥିବା ଜଣାପଡିଛି । ଏଥିସହ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଛନ୍ତି । ଖର୍ଚ୍ଚ ହ୍ରାସ କରିବା ପାଇଁ ମସ୍କ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । 2023 ଶେଷ ସୁଦ୍ଧା ଆର୍ଥିକ ସ୍ବଚ୍ଛଳତା ବଜାୟ ରଖିବା ପାଇଁ ମସ୍କ ବିଶ୍ବର ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କରିବା ସହ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ।

ଭାରତର 200 କର୍ମଚାରୀ ହରାଇଛନ୍ତି ଚାକିରି:- କହି ରଖୁଛୁ ଯେ, ମସ୍କ 2022, ଅକ୍ଟୋବରରେ 44 ବିଲିୟନ ଡଲାରରେ ଟ୍ବିଟର କ୍ରୟ କରିଥିଲେ । ଏହାପରେ ସେ ପ୍ରଥମେ ସିଇଓଙ୍କ ସମେତ ବହୁ ବରିଷ୍ଠ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲେ । ସମଗ୍ର ବିଶ୍ବର କର୍ମଚାରୀଙ୍କ ଅଧାଭାଗ ହ୍ରାସ କରିଥିଲେ ମସ୍କ । ଏଥିରେ ଭାରତର 200 ରୁ ଅଧିକ କର୍ମଚାରୀ ଅର୍ଥାତ୍ ସମ୍ପୂର୍ଣ୍ଣ କର୍ମଚାରୀଙ୍କ 90 ଭାଗ ଚାକିରି ହରାଇଥିଲେ ।

ମାତ୍ର 10 ଭାଗ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲୁ ଥିବାବେଳେ ଶେଷରେ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରି ଦେଇଛନ୍ତି ମସ୍କ । ଦେଶରେ ଥିବା 3ଟି କାର୍ଯ୍ୟାଳୟ ମଧ୍ୟରୁ ଦୁଇଟି ବନ୍ଦ କରି ଦେଇଥିବା ସୂଚନା ମିଳିଛି । ଖବର ଅନୁସାରେ ଟ୍ୱିଟର ରାଜନୈତିକ କେନ୍ଦ୍ର ନୂଆଦିଲ୍ଲୀ ଏବଂ ଆର୍ଥିକ ହବ୍ ମୁମ୍ବାଇ କାର୍ଯ୍ୟାଳୟ ବନ୍ଦ କରିଛି । କମ୍ପାନୀ କେବଳ ବେଙ୍ଗାଲୁରୁର ଦକ୍ଷିଣ ଟେକ୍ ହବରେ ଏକ କାର୍ଯ୍ୟାଳୟ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:-Twitter New CEO: ମସ୍କ ପାଇଗଲେ ନୂଆ ସିଇଓ, କହିଥିଲେ 'ବୋକାକୁ ଦାୟିତ୍ବ ଦେଇ ପଦ ଛାଡିବି'

ଭାରତରେ ଟ୍ୱିଟର ବ୍ୟବହାରକାରୀ: ଟ୍ୱିଟର ବର୍ଷ ବର୍ଷ ଧରି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ ଫୋରମରେ ପରିଣତ ହୋଇଛି । ଏହା ଏକ ପ୍ଲାଟଫର୍ମ, ଯେଉଁଠାରେ ରାଜନୈତିକ ପ୍ରସଙ୍ଗଠାରୁ ଆରମ୍ଭ କରି ବ୍ୟବସାୟ ବିଷୟବସ୍ତୁ ଉପରେ ମଧ୍ୟ ଆଲୋଚନା କରାଯାଇଥାଏ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ରାଜନେତାଙ୍କ 86.5 ନିୟୁତ ଫଲୋର୍ସ ଅଛନ୍ତି । ତଥାପି, ମସ୍କଙ୍କ କମ୍ପାନୀ ପାଇଁ ରାଜସ୍ୱର ଅଭାବ ହେଉଛି, ଯେଉଁଥିପାଇଁ ସେ ସାଧାରଣ ମଧ୍ୟବିତ ଶ୍ରେଣୀର କର୍ମଚାରୀଙ୍କ ଚାକିରି ଛଡାଇବାକୁ ପଛାଉ ନାହାନ୍ତି ।

ଖବର ମୁତାବକ, ମସ୍କ ଟ୍ବିଟରକୁ 44 ବିଲିୟନ ଡଲାରରେ କ୍ରୟ କରିବା ପରଠାରୁ ଏହାର ସାନ ଫ୍ରାନ୍ସିସ୍କୋ ମୁଖ୍ୟାଳୟ ଏବଂ ଲଣ୍ଡନ କାର୍ଯ୍ୟାଳୟର ଭଡା ଦେବାକୁ ଅସମର୍ଥ ହେଉଛନ୍ତି । ଅନେକ କଣ୍ଟ୍ରାକ୍ଟର ମସ୍କଙ୍କ ବିରୋଧରେ ମକଦ୍ଦମା ମଧ୍ୟ ଦାୟର କରିଥିଲେ । ଏପରିକି ଟ୍ୱିଟର ଲୋଗୋ(ବାର୍ଡ ଷ୍ଟାଚ୍ୟୁ) ଠାରୁ ଆରମ୍ଭ କରି ଏସପ୍ରେସୋ ମେସିନ୍ ମଧ୍ୟ ନିଲାମ କରାଯାଇଛି । ତେବେ ଆଗକୁ ମସ୍କ ଟ୍ବଟର ଚଲାଇବା ପାଇଁ କି କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ABOUT THE AUTHOR

...view details