ନୂଆଦିଲ୍ଲୀ:ଟ୍ବିଟର ଅଫିସ୍ ଭଡା ଦେବାକୁ ନେଇ ଅରବପତି ଏଲନ ମସ୍କଙ୍କ ସମସ୍ୟା ବଢିବାରେ ଲାଗିଛି । କେତେବେଳେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ତ ଆଉ କେତେବେଳେ ଅଫିସର ଆସବାବପତ୍ର ବିକ୍ରି କରୁଛନ୍ତି । ଏହାରି ଭିତରେ ପୁଣି ଏକ ଖବର ସାମ୍ନାକୁ ଆସିଛି । ସକାଳ 4ଟାରେ ଏଲନ ମସ୍କ ଜଣେ ଟ୍ବିଟର ନିବେଶକଙ୍କୁ କହିଛନ୍ତି, "ମରିବା ପରେ ଭଡା ଦେବି। କମ୍ପାନୀ କାର୍ଯ୍ୟାଳୟର ଭଡାର କ୍ଷତି ମୋ ମୃତଦେହ ଉପରେ ଭରଣା କରନ୍ତୁ ।"
ଏହା ମଧ୍ୟ ପଢନ୍ତୁ: ଟ୍ବିଟର ଇଣ୍ଡିଆର 2ଟି କାର୍ଯ୍ୟାଳୟ ବନ୍ଦ, ଘରୁ କାମ କରିବେ କର୍ମଚାରୀ
ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଟ୍ବିଟରକୁ ନେଇ ଟ୍ବିଟରର ପୂର୍ବତନ କର୍ମଚାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମକଦ୍ଦମା ଅନୁସାରେ, ଟ୍ୱିଟର 2.0ରେ ବିନିଯୋଗ କରିଥିବା ଉଦ୍ୟୋଗୀ ପାବଲୋ ମେଣ୍ଡୋଜା ମସ୍କଙ୍କ ସହ ବାର୍ତ୍ତାଳାପ କରିଥିଲେ । ଏହି ସମୟରେ ମସ୍କ ତାଙ୍କୁ କହିଥିଲେ, "ମୁଁ ଭଡା ନଦେବା ପାଇଁ ନିଷ୍ପତ୍ତି ନେଇ ସାରିଛି । ଏହା ଉପରେ ଆଉ କୌଣସି ଆଲୋଚନା ହୋଇପାରିବ ନାହିଁ ।"
ଏହି ମକଦ୍ଦମାରେ ଦର୍ଶାଯାଇଛି ଯେ, ଟ୍ୱିଟରରେ 12 ବର୍ଷ କାର୍ଯ୍ୟ କରିଥିବା ଏବଂ ଅଫିସ୍ ଡିଜାଇନ୍ ତଦାରଖ କରୁଥିବା ଜୋସେଫ୍ କିଲିଆନ୍ ଜାଣିଥିଲେ ଯେ, ମସ୍କ ଅଫିସ୍ ଭଡା ଦେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଲିଆନ୍, ମସ୍କଙ୍କ ସ୍ଥିତି ବିଷୟରେ ଜାଣି ମଣ୍ଡୋଜା ମାଧ୍ୟମରେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ।