ହାଇଦ୍ରାବାଦ: ଭାରତର ମୁନ ମିଶନ ଚନ୍ଦ୍ରଯାନ-1 ଚନ୍ଦ୍ରରେ ପାଣର ସନ୍ଧାନ କରିଥିବା ନେଇ ସମସ୍ତେ ଜାଣନ୍ତି। ଏହାରି ଭିତରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ରଯାନ-1ରୁ ଡାଟାରୁ ବଡ ଖୁଲାସା ହୋଇଛି। ପୃଥିବୀରୁ ଉଚ୍ଚ ଶକ୍ତି ବିଶିଷ୍ଟ ଇଲେକ୍ଟ୍ରନ୍ ଚନ୍ଦ୍ରରେ ଜଳର କାରଣ ହୋଇପାରେ ବୋଲି ଭାରତର ଚନ୍ଦ୍ରଯାନ-1 ଚନ୍ଦ୍ର ମିଶନରୁ ରିମୋଟ ସେନ୍ସିଂ ତଥ୍ୟ ବିଶ୍ଳେଷଣ କରୁଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଆମେରିକାର ମନୋୟା ସ୍ଥିତ ହୱାଇ ୟୁନିଭରସିଟି (UH) ର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଜାଣିବାକୁ ପାଇଛନ୍ତି ଯେ, ପୃଥିବୀର ପ୍ଲାଜମା ସିଟରେ ଥିବା ଏହି ଇଲେକ୍ଟ୍ରନ୍ଗୁଡ଼ିକ ଚନ୍ଦ୍ର ପୃଷ୍ଠରେ ପଥର ଏବଂ ଖଣିଜ ପଦାର୍ଥକୁ ଭାଙ୍ଗିବା କିମ୍ବା ତରଳାଇବାରେ ସାହାଯ୍ୟ କରୁଛନ୍ତି। ତେବେ ଚନ୍ଦ୍ରପୃଷ୍ଠରେ ଜଳ ସୃଷ୍ଟି ବା ତିଆରି କରିବାରେ ଇଲେକ୍ଟ୍ରନ୍ ସାହାଯ୍ୟ କରିପାରେ ବୋଲି ଜୋର୍ନାଲ ନେଚର ଆଷ୍ଟ୍ରୋନୋମି ପତ୍ରିକାରେ ପ୍ରକାଶିତ ହୋଇଛି। ତେବେ ଚନ୍ଦ୍ରପୃଷ୍ଠରେ କେଉଁଠାରେ ଏବଂ କେତେ ମାତ୍ରାରେ ଜଳ ରହିଛି ତାହା ଜାଣିବା କଷ୍ଟକର ବୋଲି କୁହାଯାଇଛି।
2008 ମସିହାରେ ଲଞ୍ଚ କରାଯାଇଥିଲା ଚନ୍ଦ୍ରଯାନ-1:ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଚନ୍ଦ୍ରରେ ଜଳର ସାନ୍ଦ୍ରତା ଏବଂ ବିତରଣ ଜାଣିବା ଏହାର ଗଠନ ଏବଂ ବିକାଶକୁ ବୁଝିବା ଏବଂ ଭବିଷ୍ୟତରେ ମାନବ ଅନୁସନ୍ଧାନ ପାଇଁ ଜଳ ଉତ୍ସ ଯୋଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ନୂତନ ଆବିଷ୍କାର ଚନ୍ଦ୍ରର ସ୍ଥାୟୀ ଛାୟା ଅଞ୍ଚଳରେ ପୂର୍ବରୁ ଆବିଷ୍କୃତ ହୋଇଥିବା ଜଳ ବରଫର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରିବାରେ ସାହାଯ୍ୟ କରିପାରିବ। ଚନ୍ଦ୍ରଯାନ-1 ଚନ୍ଦ୍ରରେ ଜଳ ଅଣୁଗୁଡ଼ିକର ଅନୁସନ୍ଧାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭାରତର ପ୍ରଥମ ମୁନ ମିଶନ ଚନ୍ଦ୍ରଯାନ-1କୁ 2008 ମସିହାରେ ପ୍ରଥମେ ଉତକ୍ଷେପଣ କରାଯାଇଥିଲା। ତେବେ ଏହାର ଡାଟାକୁ ନେଇ ବିଶ୍ଲେଷଣ କରୁଥିବା ବୈଜ୍ଞାନିକମାନେ କହିଛନ୍ତି ଯେ, ପୃଥିବୀ ପାଇଁ ଚନ୍ଦ୍ରପୃଷ୍ଠରେ ଜଳ ତିଆରି ହେଉଛି।