ହାଇଦ୍ରାବାଦ: ଏଣିକି ଚାଷ କ୍ଷେତ୍ରରେ ହେବନି ସମସ୍ୟା। ଚାରା ଲଗାଇବାର ଅଳ୍ପ ଦିନରେ ବଢିବ ଗଛ, ଫଳିବ ଫଳ । ବିନା ମାଟି, କମ ମାତ୍ରାରେ ଜଳ ସହିତ ବିନା ରାସାୟନିକ ସାରରେ ବଢିବ ଗଛ । ଏକଥା ଆମେ କହୁନାହୁଁ, ବରଂ ବୈଜ୍ଞାନିକମାନେ ଏନେଇ ଦାବି କରିଛନ୍ତି । ବୈଜ୍ଞାନିକମାନେ ବିଦ୍ୟୁତ ପରିବାହୀ ମୃତ୍ତିକା(Electronic Soil)ର ବିକାଶ କରିଛନ୍ତି । ଏହି ମାଟିରେ ଚାରା ଲଗାଇଲେ 15 ଦିନରେ 50 ପ୍ରତିଶତ ବୃଦ୍ଧି ପାଇବା ନେଇ ଦାବି କରାଯାଇଛି । ମୃତ୍ତିକା ବିହୀନ ଏହି କୃଷି ପଦ୍ଧତିକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଏହା ଦ୍ବାରା ଖୁବ କମ୍ ସମୟରେ ଚାରା ବୃଦ୍ଧି ପାଇ ଫଳ ପ୍ରଦାନ କରିବ ବୋଲି କୁହାଯାଇଛି ।
ତେବେ ଏନେଇ ସ୍ବିଡେନ୍ର ଲିଙ୍କୋପିଙ୍ଗ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଏଲେନି ଷ୍ଟାଭ୍ରିନିଡୋଉ କହିଛନ୍ତି, "ବିଶ୍ବରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହିତ ଜଳବାୟୁରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଉଛି । ତେଣୁ ବର୍ତ୍ତମାନ କୃଷି ପଦ୍ଧତି ଆପଣାଇ ବିଶ୍ବର ଖାଦ୍ୟ ଚାହିଦାକୁ ପୂରଣ କରିପାରିବା ନାହିଁ । ଏହା ଭବିଷ୍ୟତରେ ସମ୍ଭବପର ହେବ ନାହିଁ । କିନ୍ତୁ ହାଇଡ୍ରୋପୋନିକ୍ସ ସାହାଯ୍ୟରେ ଏହା ସମ୍ଭବ ହୋଇପାରିବ । ଏହାର ସହାୟତାରେ ସହରୀ ପରିବେଶରେ ଅତ୍ୟନ୍ତ ନିୟନ୍ତ୍ରିତ ବ୍ୟବସ୍ଥାରେ ଖାଦ୍ୟ ଉତ୍ପାଦନ କରିପାରିବା ।"
15ଦିନରେ 50 ପ୍ରତିଶତ ବଢିବ ଚାରା: ବୈଜ୍ଞାନିକମାନେ ହାଇଡ୍ରୋପୋନିକ୍ସ ଚାଷ ପାଇଁ ବିଦ୍ୟୁତ ପରିବାହୀ ମୃତ୍ତିକା ବିକଶିତ କରିଛନ୍ତି । ଏହାକୁ ଇ-ସଏଲ ବୋଲି କୁହାଯାଉଛି । ଏନେଇ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶିତ ହୋଇଛି । ତେବେ ଏଥିରେ ମାତ୍ର 50 ଦିନରେ ଚାରା 50 ପ୍ରତିଶତ ବୃଦ୍ଧି ପାଇବ ବୋଲି କୁହାଯାଇଛି ।