ବର୍ଲିନ୍: 2020 IFA ବାଣିଜ୍ୟ ମେଳା ଇଭେଣ୍ଟ ବର୍ତ୍ତମାନ ଖୋଲା ରହିଛି, କିନ୍ତୁ କୋରୋନାଭାଇରସ ମହାମାରୀ କାରଣରୁ ଏହା ଭିନ୍ନ ଏକ ପରିସ୍ଥିତିରେ ଅନୁଷ୍ଠିତ ହେଉଛି ।
1924 ମସିହାରୁ ଏହି ବାଣିଜ୍ୟ ମେଳା ଚାଲିଆସୁଛି ଏବଂ ଏହା ନିୟମିତ ଭାବରେ 200,000 ରୁ ଅଧିକ ଲୋକଙ୍କୁ ଜର୍ମାନର ରାଜଧାନୀ ବର୍ଲିନର ବୃହତ ମେସେ ପ୍ରଦର୍ଶନୀ ପଡ଼ିଆକୁ ଆକର୍ଷିତ କରିଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ବର୍ଲିନ୍ ପ୍ରଦର୍ଶନୀ ପଡିଆରେ କେବଳ ଅଳ୍ପ କିଛି ସାମ୍ବାଦିକ ଏବଂ ବାଣିଜ୍ୟ ପରିଦର୍ଶକଙ୍କୁ ଅନୁମତି ଦିଆଯିବ ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆଯିବ ।
କଠୋର ନିୟମ ଲାଗୁ କରାଯିବ । ଉଦାହରଣ ସ୍ବରୂପ, ପ୍ରତ୍ୟେକ ଥର ଗୋଟିଏ ହଲରେ ସର୍ବାଧିକ 750 ଲୋକଙ୍କୁ ଅନୁମତି ଦିଆଯାଇଛି ।
ବଜାରରେ ଏକ ନୂତନ ଟେକ୍ନୋଲୋଜି କମ୍ପାନୀ ପ୍ରତିଷ୍ଠା ହେବା ପାଇଁ ଏହା ଏକ କଠିନ ପରିସ୍ଥିତି ।
କିନ୍ତୁ ଛୋଟ କମ୍ପାନୀ ଏବଂ ଷ୍ଟାର୍ଟଅପମାନେ ସେମାନଙ୍କର ଉତ୍ପାଦଗୁଡିକ IFA NEXT ହଲରେ ପ୍ରଦର୍ଶନ କରି ଆଶା କରିଥିଲେ ଯେ ସେମାନଙ୍କର ମହାମାରୀ ସମ୍ବନ୍ଧୀୟ ଟେକ୍ନୋଲୋଜି ବଜାରରେ ପରିଚୟ ପାଇପାରିବ ।
- ବର୍ଲିନସ୍ଥିତ ଷ୍ଟାର୍ଟଅପ ହାର୍ଟଲେ ବର୍ତ୍ତମାନ ଇଣ୍ଡକସନ ଟେକ୍ନୋଲୋଜି ମାଧ୍ୟମରେ ଯେକୌଣସି ତରଳ ପଦାର୍ଥକୁ ଗରମ କରିବାର ଏକ ସ୍ବତନ୍ତ୍ର ରଡ଼୍ର ପ୍ରଦର୍ଶନ କରିଛି ।
- ଆପଣ କେବଳ ଇଣ୍ଡକସନ ଉପରେ ଏକ ଗ୍ଲାସ ପାଣି କିମ୍ବା କ୍ଷୀର ରଖିବେ ଓ ରଡ଼୍କୁ ସେଥିରେ ବୁଡ଼ାଇବେ ତାପରେ ମାତ୍ର କିଛି ସମୟ ମଧ୍ୟରେ ତରଳ ପଦାର୍ଥଟି ଫୁଟିବାକୁ ଲାଗିବ ।
- ଏଥିରେ ବିଭିନ୍ନ ସେଟିଙ୍ଗ ମଧ୍ୟ ରହିଛି, ଯେମିତି କି ଚାହା ପାଇଁ 80 ଡିଗ୍ରୀ, ଶିଶୁଙ୍କ ଉଷୁମ କ୍ଷୀର ପାଇଁ, ଏହାସହ ରହିଛି ପାୱାର ମୋଡ୍ ଯାହାଦ୍ବାରା ତରଳ ପଦାର୍ଥ ଶୀଘ୍ର ଗରମ ହୋଇଯିବ ।
ହାର୍ଟଲେର ଯୋଗାଯୋଗ ମୁଖ୍ୟ ଲାନା ସୁଟ୍ଜ କହିଛନ୍ତି, ‘‘ତେଣୁ, ଏହି ମହାମାରୀ ସମୟରେ ଯେତେବେଳେ ଲୋକମାନେ ଅଧିକାଂଶ ସମୟ ଘରେ ବିତାଉଛନ୍ତି, କିମ୍ବା ଏକା ରହୁଛନ୍ତି ଆଉ ଏକ କପ କଫି ଚାହୁଁଛନ୍ତି, ତେବେ ଏହା ହେଉଛି ଶ୍ରେଷ୍ଠ ବିକଳ୍ପ । କାରଣ ଆପଣ କେବଳ ନିଜ କପକୁ ଆବଶ୍ୟକୀୟ ସାମଗ୍ରୀରେ ଭର୍ତ୍ତି କରି ରଡ୍କୁ ସେଥିରେ ପକାଇବେ ଓ କହିବେ ଓକେ 80 ଡିଗ୍ରୀ । ବାସ୍, ତାପରେ ନା ଆପଣଙ୍କୁ ପାଣି ନଷ୍ଟ କରିବାକୁ ହେବ ନା ଶକ୍ତି ।’’
ହାର୍ଟଲେ ରଡ୍ ବଜାରରେ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ କିନ୍ତୁ କମ୍ପାନୀ ଚଳିତ ବର୍ଷ ଏହାକୁ ଉପଲବ୍ଧ କରାଇବାକୁ ଆଶା କରୁଛି। ସେମାନେ ଏପର୍ଯ୍ୟନ୍ତ ଏହାର ମୂଲ୍ୟ ସ୍ଥିର କରିନାହାଁନ୍ତି।
- ଅନ୍ୟ ଏକ କମ୍ପାନୀ ଯାହା ଆପଣଙ୍କ ଘର ଜୀବନକୁ ଅଧିକ ଆରାମଦାୟକ କରିବାକୁ ଚେଷ୍ଟା କରୁଛି ତାହା ହେଉଛି ବର୍ଲିନ୍ ସ୍ଥିତ ଗ୍ରୀନବକ୍ସ ।
- ଏଥିରେ ଇନଡୋର ବଗିଚାଗୁଡ଼ିକୁ ବ୍ଲୁଟୁଥ୍ ସହ ସଂଯୋଗ କରିହେବ ଯାହା ଦ୍ବାରା ଆପଣ ନିଜ ସ୍ମାର୍ଟଫୋନରୁ ଆପଣଙ୍କ ଗଛ ଗୁଡିକର ଯତ୍ନ ନେଇପାରିବେ ।
- ଆପଣଙ୍କ ଗଛଗୁଡିକର ଯତ୍ନ ନେବା ପାଇଁ ଆପଣ ଆଲୋକ ସେଟ୍ କରିପାରିବେ, ଗଛ ଗୁଡ଼ିକ କ’ଣ ଆବଶ୍ୟକ କରନ୍ତି ସେ ବିଷୟରେ ଆପଣ ପରାମର୍ଶ ପାଇପାରିବେ, ଏବଂ ଆପଣ ନିଶ୍ଚିତ କରିପାରିବେ ଯେ ଆପଣ ସେମାନଙ୍କୁ ସଠିକ୍ ପରିମାଣର ପାଣି ଦେଉଛନ୍ତି ।