ହାଇଦ୍ରାବାଦ: OpenAI (ଓପନଏଆଇ) ସିଇଓ ପଦରୁ ବିଦା ହେଲେ ସାମ ଅଲ୍ଟମ୍ୟାନ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କମ୍ପାନୀ ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯାଇଥିବା ନେଇ ଘୋଷଣା କରାଯାଇଛି । ବହୁ ବିଚାର ବିମର୍ଷ ପରେ ଅଲ୍ଟମ୍ୟାନଙ୍କୁ ଏହି ପଦରୁ ହଟାଯାଇଥିବା କମ୍ପାନୀ ପକ୍ଷରୁ ବ୍ଲଗରେ ଉଲ୍ଲେଖ କରାଯାଇଛି । କୃତ୍ରିମ ବୁଦ୍ଧିମତା(AI) ଦୁନିଆରେ ସାମ ଅଲ୍ଟମ୍ୟାନଙ୍କ ନାମ ଖୁବ୍ ଜଣାଶୁଣା ଅଟେ ।
ଗତବର୍ଷ ନଭେମ୍ବର ମାସରେ ଓପନଏଆଇ ଚାଟଜିପିଟିକୁ ବଜାରକୁ ଆଣିଥିଲା । ଚାଟଜିପିଟିକୁ ନେଇ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ସଫ୍ଟଓ୍ବେୟାର ଆପ୍ଲିକେସନ ହୋଇଥିଲା । ଏହାରି ଭିତରେ ଅନେକ ସ୍ଥାନରେ ଏହାର ଦୂରୁପଯୋଗ କରାଯାଉଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା । କିଛିଦିନ ଭିତରେ ଚାର୍ଟବୋଟ 1 ମିଲିୟନ ୟୁଜରବେସ ହାସଲ କରିଥିଲା । ଓପନ ଏଆଇର ସମସ୍ତ ଭାର ଉଠାଇଥିଲେ ସାମ ଅଲ୍ଟମ୍ୟାନ । ଏହାରି ଭିତରେ ଓପନଏଆଇ ସିଇଓ ପଦରୁ ସାମ ଅଲ୍ଟମାନଙ୍କୁ ବହିଷ୍କାର କରାଯାଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୋର୍ଡର ସଦସ୍ୟମାନେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା କାରଣରୁ ଅଲ୍ଟମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି ।
ଅଲ୍ଟମ୍ୟାନଙ୍କ ବହିଷ୍କାରକୁ ସହ୍ୟ କରିପାରିଲେନି ଗ୍ରୋଗ: ତେବେ ଏହାରି ଭିତରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସାମ୍ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ ଓପନଏଆଇର ସହ ସଂସ୍ଥାପକ ଗ୍ରୋଗ ବ୍ରୋକମ୍ୟାନ ମଧ୍ୟ ଇସ୍ତଫା ଦେଇଛନ୍ତି । ସାମ୍ ଅଲ୍ଟମ୍ୟାନଙ୍କ ବହିଷ୍କୃତ ହେବାର କିଛି ଘଣ୍ଟା ପରେ ହିଁ ସେ ଇସ୍ତଫା ପତ୍ର ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଅଲ୍ଟମ୍ୟାନଙ୍କ ବହିଷ୍କାରକୁ ସହିପାରି ନାହାନ୍ତି ଗ୍ରୋଗ ।
ଏନେଇ ଗ୍ରୋଗ ବ୍ରୋକମ୍ୟାନ ଟ୍ବିଟ କରି କହିଛନ୍ତି, "8 ବର୍ଷ ପୂର୍ବେ ମୋର ଆପାର୍ଟମେଣ୍ଟରେ ସମସ୍ତେ ମିଶି କାମ ଆରମ୍ଭ କରିବା ପରେ ମାନବ ସମାଜର ମଙ୍ଗଳ ପାଇଁ ଯାହା କରିଥିଲୁ ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି । ଏକାଠି ମିଶି କଠିନ ଏବଂ ଭଲ ସମୟ କାଟିଛୁ । ଅନେକ ଅସୁବିଧା ସତ୍ତ୍ବେ ସଫଳତା ହାସଲ କରିବା ମୋ ପାଇଁ ଅସମ୍ଭବ ରହିଥିଲା । କିନ୍ତୁ ଆଜିର ଖବର ଆଧାରରେ ମୁଁ କମ୍ପାନୀ ଛାଡୁଛି ।"